ଆଜମ ଖାନ୍‌ଙ୍କୁ ମହଙ୍ଗା ପଡ଼ିଲା ଅଶାଳୀନ ମନ୍ତବ୍ୟ, କ୍ଷମା ନ ମାଗିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ ଗତକାଲି ଲୋକସଭା‌ରେ ବିଜେପି ସାଂସଦ ରମା ଦେବୀଙ୍କୁ ନେଇ ଦେଇଥିବା ଅଶାଳୀନ ମନ୍ତବ୍ୟ ନେଇ ଆଜି ମଧ୍ୟ ସଂସଦରେ ତମ୍ବିତୋଫାନ ଦେଖିବାକୁ ମିଳିଛି। ଖାନ୍‌ଙ୍କର ଅଶାଳୀନ ଟିପ୍ପଣୀ ପାଇଁ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଆଜି ଲୋକସଭାରେ ସମସ୍ତ ମହିଳା ସାଂସଦ ଦାବି କରିଥିଲେ। ଆଜମ ଖାନ୍‌ଙ୍କୁ ଗୃହରୁ ନିଲମ୍ବିତ କରିବାପାଇଁ ମଧ୍ୟ ଦାବି ଉଠିଥିଲା। ଦଳରୁ ଊର୍ଦ୍ଧ୍ବକୁ ଉଠି ସମସ୍ତ ନେତା ଆଜମ ଖାନ୍‌ଙ୍କ ଟିପ୍ପଣୀ ପାଇଁ ତାଙ୍କୁ ତୀବ୍ର ବିରୋଧ କରିଥିଲେ ଏବଂ ଏକ ସଭ୍ୟ ସମାଜରେ ଜଣେ ମହିଳାଙ୍କ ପ୍ରତି ଏଭଳି ଅଶାଳୀନ ମନ୍ତବ୍ୟ ଦେବା ଅନୁଚିତ୍‌ ବୋଲି କହିଥି‌‌ଲେ। ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି, ଆଜମ ଖାନ୍‌ ତାଙ୍କ ଟିପ୍ପଣୀ ପାଇଁ ବିଜେପି ସାଂସଦ ରମାଦେବୀଙ୍କୁ ନିଃସର୍ତ୍ତ କ୍ଷମା ମାଗନ୍ତୁ ନ‌ଚେତ୍‌ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ପୂର୍ବରୁ ବାଚସ୍ପତି ଏ‌ହି ପ୍ରସଙ୍ଗରେ କଗ୍ରେସନେତା ଅଧିର ରଂଜନ ଚୌଧୁରୀ, ଜୟଦେବ ଗଲ୍ଲା, ଡାନିଶ ଅଲି, ସୁପ୍ରିୟା ସୁଲେ ଏବଂ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲେ।

କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, ଆଜମ ଖାନ୍‌ ତାଙ୍କ ଟିପ୍ପଣୀ ପାଇଁ କ୍ଷମା ପ୍ରାର୍ଥନା ନକଲେ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ରବିଶଙ୍କରଙ୍କ ଯୁକ୍ତିକୁ କଂଗ୍ରେସ ‌ନେତା ଅଧିର ରଂଜନ ଚୌଧୁରି ସମର୍ଥନ କରିବା ସହ ଆଜମ ତାଙ୍କର ଟିପ୍ପଣୀ ପାଇଁ କ୍ଷମା ମାଗିବା ଉଚିତ୍‌ ବୋଲି କହିଥିଲେ। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ଆଜମ୍‌ ଯେଭଳି କାଣ୍ଡ କରିଛନ୍ତି, ଯଦି ଏମିତି ଘଟଣା ସଂସଦ ବାହାରେ ଘଟିଥାନ୍ତା ତେବେ ପୁଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଥାନ୍ତା। ତେଣୁ ଆଜମ ତାଙ୍କ ଭୁଲ୍‌ ସ୍ବୀକାର କରି କ୍ଷମା ମାଗନ୍ତୁ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଆଜମଙ୍କର ଏଭଳି ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। ବିଏସ୍‌ପି ସୁପ୍ରିମୋ ମାୟାବତୀ ମଧ୍ୟ କହିଛନ୍ତି, ଆଜମ ଖାନ୍‌ଙ୍କ ଟିପ୍ପଣୀ ମହିଳାଙ୍କ ସମ୍ମାନ ହାନି କରୁଛି। ଏହା ଖୁବ୍‌ କଷ୍ଟଦାୟକ। ଆଜମ ଖାନ୍‌ ତାଙ୍କ ଭୁଲ୍‌ ପାଇଁ କେବଳ ଲୋକସଭାରେ ନୁହେଁ ବରଂ ସମସ୍ତ ମହିଳାଙ୍କୁ କ୍ଷମା ମାଗିବା ଉଚିତ୍‌ ବୋଲି ମାୟାବତୀ କହିଛନ୍ତି।

ସମ୍ବନ୍ଧିତ ଖବର