ୟୁକ୍ରେନ୍‌ରେ ରୁଷୀୟ ଆକ୍ରମଣ ଉପରେ ବୃତ୍ତଚିତ୍ର ଉତ୍ତୋଳନ କରିବେ ଆମେରିକୀୟ ଅଭିନେତା ସିନ୍‌ ପେନ୍‌

ନ୍ୟୁୟର୍କ: ୟୁକ୍ରେନ୍‌ ଉପରେ ଚାଲିଥିବା ରୁଷୀୟ ଆକ୍ରମଣ ବିଷୟରେ ଏକ ବୃତ୍ତଚିତ୍ର ନିର୍ମାଣ ପାଇଁ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ସିନ୍‌ ପେନ୍‌ ସମ୍ପ୍ରତି ୟୁକ୍ରେନ୍‌ରେ ଅଛନ୍ତି।

ପ୍ରେସିଡେଣ୍ଟ୍‌ଙ୍କ କାର୍ଯ୍ୟାଳୟ ଗୁରୁବାର ଦିନ ଏକ ଫେସ୍‌ବୁକ୍‌ ପ‌ୋଷ୍ଟ୍‌ରେ ଲେଖିଛି ଯେ, ପେନ୍‌ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଉପପ୍ରଧାନମନ୍ତ୍ରୀ ଆଇରିନା ଭେରେଶ୍ଚଚୁକ୍‌ଙ୍କୁ ଭେଟିବା ସହ ରୁଷୀୟ ଆକ୍ରମଣ ବିଷୟରେ ସାମ୍ବାଦିକ ଓ ସେନା କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିଲେ।

Image Courtesy of Deadline

ଫେସ୍‌ବୁକ୍‌ରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ‌ଉଲ୍ଲେଖ କରିଛି: ସିନ୍‌ ପେନ୍‌ ଯେଭଳି ସାହସ ପ୍ରଦର୍ଶନ କରିଛନ୍ତି ଅନ୍ୟମାନେ, ବିଶେଷକରି ପାଶ୍ଚାତ୍ୟ ରାଜନୀତିଜ୍ଞମାନଙ୍କ ପାଖରେ ସେ ସାହସ ନାହିଁ। ସମ୍ପ୍ରତି ୟୁକ୍ରେନ୍‌ରେ ଘଟୁଥିବା ସମସ୍ତ ଘଟଣା ରେକର୍ଡ କରିବା ସହ ଆମ ଦେଶରେ ରୁଷୀୟ ଆକ୍ରମଣର ସତ୍ୟତା ସଂକ୍ରାନ୍ତରେ ବିଶ୍ବବାସୀଙ୍କୁ କହିବା ଲାଗି ନିର୍ଦେଶକ ପେନ୍‌ କିଏଭ୍‌ ଆସିଛନ୍ତି।

‘ଭାଇସ୍‌ ଷ୍ଟୁଡିଓ’ ପ୍ରଯୋଜିତ ଏହି ପ୍ରକଳ୍ପରେ କାର୍ଯ୍ୟ କରିବା ଲାଗି ନଭେମ୍ବର ଶେଷ ଭାଗରେ ମଧ୍ୟ ପେନ୍‌ କିଏଭ୍‌ ଆସିଥିଲେ। ଫଟୋରୁ ଦେଖାଯାଉଛି ସେତେବେଳେ ସେ ଡୋନେତ୍‌ସ୍କ ଅଞ୍ଚଳ ନିକଟ ୟୁକ୍ରେନୀୟ ସଶସ୍ତ୍ର ବଳଙ୍କୁ ସେ ସାକ୍ଷାତ୍‌ କରୁଛନ୍ତି।

ଅସ୍କାର୍‌ ବିଜୟୀ ପେନ୍‌ ପୂର୍ବରୁ ଅନେକ ଆନ୍ତର୍ଜାତିକ ମାନବୀୟ ଏବଂ ଯୁଦ୍ଧ-ବିରୋଧୀ ଉଦ୍ୟମ ସହ ସଂଶ୍ଳିଷ୍ଟ ଥିଲେ।

ସମ୍ବନ୍ଧିତ ଖବର