ହତ୍ୟା ଅଭିଯୋଗରେ ପୂରା ପରିବାରକୁ ଗିରଫ କରିବା ପରେ ଏବେ ଘରେ ଥିବା ପୋଷା କୁକୁରର ଦାୟିତ୍ୱ ନେଇଛି ମଧ୍ୟପ୍ରଦେଶ ପୁଲିସ

ଭୋପାଳ: ମଧ୍ୟପ୍ରଦେଶରେ ଥିବା ବୀଣା ସହରରେ ପୁଲିସକର୍ମୀଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ସେମାନଙ୍କ ଭିତରେ ମଧ୍ୟ ଏକ ହୃଦୟ ରହିଛି, ତାହାକୁ ପ୍ରମାଣ କରିଛି ମଧ୍ୟପ୍ରଦେଶ ପୁଲିସ । ହତ୍ୟା ଅଭିଯୋଗରେ ଏକ ପରିବାରର ସମସ୍ତ ସଦସ୍ୟଙ୍କୁ ଗିରଫ କରିବା ପରେ ଘରେ ଥିବା ପୋଷା କୁକୁର ସୁଲତାନକୁ ଏକା ଛାଡ଼ି ନଥିଲେ ପୁଲିସକର୍ମୀ । ଏବେ କୁକୁରଟି ପୁଲିସ ଟିମ୍‌ ସହ ରହିବା ଆରମ୍ଭ କରିଛି ।

indiatimes.com

ସୂଚନା ମୁତାବକ, ସୁଲତାନର ମାଲିକ ମନୋହର ଏବଂ ତାଙ୍କର ଦୁଇ ପୁଅ ଜମି ବିବାଦକୁ ନେଇ ନିଜ ସଂପର୍କୀୟଙ୍କ ପରିବାରର ୫ଜଣଙ୍କୁ ହତ୍ୟା କରିଥିଲେ । ଏ ନେଇ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ମନୋହର ସମେତ ତାଙ୍କ ଦୁଇ ପୁଅକୁ ଗିରଫ କରିଥିଲେ । ଗିରଫ ହେବା ପରେ ଘରେ କେବଳ ସୁଲତାନ ଏକା ରହି ଯାଇଥିଲା । ପ୍ରଥମେ କୁକୁର ବିଷୟରେ କେହି ଭାବି ନଥିବା ବେଳେ ତଦନ୍ତ ସମୟରେ କୁକୁରକୁ ଭୋକିଲା ଦେଖି ପୁଲିସକର୍ମୀମାନେ ମନୋହରଙ୍କ ପରିଚିତ ବ୍ୟକ୍ତିଙ୍କୁ ସୁଲତାନକୁ ରଖିବାକୁ କହିଥିଲେ । କିନ୍ତୁ ସେମାନେ ସୁଲତାନକୁ ରଖିବାକୁ ମନା କରି ଦେଇଥିଲେ । ଯାହା ପରେ ମଧ୍ୟପ୍ରଦେଶ ପୁଲିସ ସୁଲତାନକୁ ପୁଲିସ ଷ୍ଟେସନରେ ରଖିବା ପାଇଁ ମନସ୍ଥ କରିଥିଲେ । ପ୍ରଥମେ ସୁଲତାନ ପୁଲିସ ଟିମ୍‌କୁ ଦେଖି ଭୁକୁଥିବା ବେଳେ ଏବେ ସେ ପୁଲିସ ଟିମ୍‌ର ପୋଷା ବନି ସାରିଲାଣି । କୌଣସି କାର୍ଯ୍ୟ ନଥିଲେ ପୁଲିସକର୍ମୀମାନେ ସୁଲତାନର ଯତ୍ନ ନେବା ସହ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଦେଇଥାନ୍ତି ।

ସମ୍ବନ୍ଧିତ ଖବର