ସିସିଡି ମାଲିକ ସିଦ୍ଧାର୍ଥଙ୍କ ନାଁରେ କିଏ ଲେଖିଲା ଚିଠି? ଆୟକର ବିଭାଗ କହିଲା ଚିଠିରେ ଥିବା ସ୍ୱାକ୍ଷର ସିଦ୍ଧାର୍ଥଙ୍କର ନୁହେଁ

ସିଦ୍ଧାର୍ଥଙ୍କ ନିଖୋଜ ଓ ତାଙ୍କ ଚିଠିକୁ ନେଇ ଘନୀଭୂତ ହେଉଛି ରହସ୍ୟ

ନୂଆଦିଲ୍ଲୀ: କାଫେ କଫି ଡେ (ସିସିଡି)ର ପ୍ରତିଷ୍ଠାତା ଭି ଜି ସିଦ୍ଧାର୍ଥ ଆଜି (ମଙ୍ଗଳବାର) ହଠାତ୍‌ ଅତ୍ୟନ୍ତ ରହସ୍ୟଜନକ ଭାବେ ନିଖୋଜ ହେବା ଏବଂ ପରେ ନିଜ କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ତାଙ୍କ ଦ୍ୱାରା ଲିଖିତ ଏକ ଆବେଗପୂର୍ଣ୍ଣ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିବା ସହ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ଣରେ ଆୟକର ବିଭାଗ (ଆଇଟି) ପକ୍ଷରୁ ଜାରି ଏକ ସ୍ପଷ୍ଟୀକରଣରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ସିଦ୍ଧାର୍ଥଙ୍କର ସ୍ୱାକ୍ଷର ନକଲି (ସିଦ୍ଧାର୍ଥଙ୍କର ନଥିବା) ବୋଲି କୁହାଯିବା ପରେ ପୂରା ଘଟଣା ଆହୁରି ରହସ୍ୟମୟ ହୋଇ ପଡ଼ିଛି।

ଉଲ୍ଲେଖଯୋଗ୍ୟ, ସିସିଡିର ପ୍ରତିଷ୍ଠାତା ସିଦ୍ଧାର୍ଥ ଆଜି ବେଙ୍ଗାଲୁରୁରୁ ମାଙ୍ଗାଲୁରୁ ଆସୁଥିବା ବେଳେ ମଝି ବାଟରୁ ହଠାତ୍‌ ଅତ୍ୟନ୍ତ ରହସ୍ୟଜନକ ଭାବେ ନିଖୋଜ ହୋଇ ଯାଇଥିଲେ। ସିଦ୍ଧାର୍ଥଙ୍କର ନିଖୋଜ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସିଦ୍ଧାର୍ଥଙ୍କର ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ନିଜ କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ ଆବେଗପୂର୍ଣ୍ଣ ଢ଼ଙ୍ଗରେ ସିଦ୍ଧାର୍ଥଙ୍କ ଦ୍ୱାରା ଲିଖିତ ଏହି ଚିଠିରେ ସେ ଆୟକର ବିଭାଗ ଅଧିକାରୀମାନଙ୍କ ଅଯଥା ହଇରାଣ ହରକତକୁ ତାଙ୍କ ନିଖୋଜ ପଛର କାରଣ ଥିବା ଦର୍ଶାଇଥିଲେ। ଏହି ଘଟଣା ପରେ ଆୟକର ବିଭାଗ ସନ୍ଦେହର ବଳୟ ମଧ୍ୟକୁ ଆସି ଯାଇଥିଲା।

Zee News India

ତେବେ, ଆଜି ଅପରାହ୍ଣରେ ଆୟକର ବିଭାଗ (ଆଇଟି) ପକ୍ଷରୁ ଜାରି ଏକ ସ୍ପଷ୍ଟୀକରଣରେ କୁହାଯାଇଛି ଯେ କେବଳ ମାତ୍ର ଆଇନର ଗଣ୍ଡି ମଧ୍ୟରେ ରହି ବିଭାଗ ଯାହା କିଛି କରିଛି। ସିସିଡି ସମେତ ଏକାଧିକ କମ୍ପାନି ସହ ସିଦ୍ଧାର୍ଥ ଜଡିତ ଥିଲେ। ସେୟାର ବଜାରରେ ମଧ୍ୟ ତାଙ୍କ କମ୍ପାନିର ଅଂଶଧନ ବିକ୍ରୟ ହେଉଥିଲା। ତାଙ୍କ ନିୟନ୍ତ୍ରଣରେ ଥିବା ‘ମାଇଣ୍ଡଟ୍ରି’ ନାମକ ଅନ୍ୟ ଏକ କମ୍ପାନିରୁ ସେ ୩୨୦୦ କୋଟି ଟଙ୍କା ପାଇଥିଲେ। ଏବାବଦରେ ତାଙ୍କୁ ୩୦୦ କୋଟିର ଆୟକର ଦେବାକୁ ଥିବା ବେଳେ ସେ ଦେଇଥିଲେ ମାତ୍ର ୪୬ କୋଟି। ତେଣୁ, ଆୟକର ବିଭାଗ ପକ୍ଷରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରା ଯାଇଥିଲା।

ଏଥିସହ ସୋସିଆଲ ମିଡିଆରେ ସିଦ୍ଧାର୍ଥଙ୍କର ଯେଉଁ ଚିଠି ଭାଇରାଲ ହୋଇଛି, ତାହା ନକଲି ଥିବା ଆୟକର ବିଭାଗ କହିଛି। କାରଣ, ସିଦ୍ଧାର୍ଥଙ୍କର ଯେଉଁ ସ୍ୱାକ୍ଷର ଆୟକର ବିଭାଗ ନିକଟରେ ମହଜୁଦ୍‌ ଅଛି ତା’ ସହ ଚିଠିରେ ଥିବା ସ୍ୱାକ୍ଷର ମେଳ ଖାଉନାହିଁ ବୋଲି ଦର୍ଶାଇଛି ଆୟକର ବିଭାଗ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସିଦ୍ଧାର୍ଥ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଏସ୍‌ ଏମ୍‌ କ୍ରିଷ୍ଣାଙ୍କର ଜାମାତା।

ସମ୍ବନ୍ଧିତ ଖବର