ବିଜେପି ବିଜୟ ପରେ ତ୍ରିପୁରାରେ ହିଂସା: ଭାଙ୍ଗିଦେଲେ ଲେନିନ୍‌ ପ୍ରତିମୂର୍ତ୍ତି,

 ବିଭିନ୍ନ ଅଞ୍ଚଳରେ ୧୪୪ ଧାରା ଜାରି

ନୂଆଦିଲ୍ଲୀ : ତ୍ରିପୁରାରେ ଦୀର୍ଘ ୨୫ ବର୍ଷ ଧରି ଶାସନ କରିଆସିଥିବା ବାମଦଳର ପତନ ଘଟାଇ ବିଜେପି ବିଜୟ ହାସଲ କରିବା ପରେ ଏବେ ତ୍ରିପୁରାରେ ଅଚାନକ ଉଗ୍ର ହିଂସା ଦେଖାଦେଇଛି । ଉଭୟ ବିଜେପି ଏବଂ ସିପିଏମ୍‌ ସମର୍ଥକଙ୍କ ଦ୍ୱାରା ହିଂସାକାଣ୍ଡ ଜାରି ରହିଥିବାବେଳେ ଭଭୟ ଦଳ ପରସ୍ପର ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି। ଗତ ସୋମବାର ଦିନ କିଛି ବିଜେପି କର୍ମୀ ଏବଂ ସମର୍ଥମକମାନେ ଦକ୍ଷିଣ ତ୍ରିପୁରାର ବେଲୋନିଆ ସହରରେ ଲେନିନ୍‌ଙ୍କର ଏକ ପ୍ରତିମୂର୍ତ୍ତି ଜେସିବି ଲଗାଇ ଭାଙ୍ଗି ଦେଇଛନ୍ତି। ଏହାକୁ ନେଇ ବିରୋଧ ଓ ହିଂସାକାଣ୍ଡ ବଢ଼ିଛି। ଏହାର ପ୍ରତିବାଦରେ ସୁସି (ସୋସିଆଲିଷ୍ଟ୍‍ ୟୁନିଟି ସେଣ୍ଟର ଅଫ ଇଣ୍ଡିଆ)ର ଆନ୍ଦୋଳନକାରୀମାନେ ଆଜି କୋଲକାତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ତ୍ରିପୁରାର ଅନେକ ସ୍ଥାନରେ ୧୪୪ ଧାରା ଜାରି ହୋଇଛି। ତେବେ ଏସବୁ ହିଂସାକାଣ୍ଡ ଏବଂ ଭଙ୍ଗାରୁଜା କେବଳ ସିପିଏମ୍‌ର ଅପକର୍ମ ପାଇଁ ଜନତାଙ୍କ ଦ୍ୱାରା ହେଉଛି ବୋଲି ବିଜେପି ମୁଖପାତ୍ର ସୁବ୍ରତ ଚକ୍ରବର୍ତ୍ତୀ କହିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ରାଜ୍ୟରେ ଶାନ୍ତି ବଜାୟ ରଖିବାପାଇଁ ରାଜ୍ୟପାଳ ଏବଂ ରାଜ୍ୟ ପୁଲିସ ମୁଖ୍ୟଙ୍କ ସହ କଥା ହୋଇଛନ୍ତି। ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି ରହିଛି। ଲେନିନ୍‌ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ବୁଲ୍‌ଡୋଜର ଡ୍ରାଇଭର ଗିରଫ ହୋଇଛି। ପୁଲିସ ସୁତ୍ରରୁ ଜଣାଯାଇଛି ଯେ ବିଜେପି ଦ୍ୱାରା ହୋଇଥିବା ଏକ ବିଜୟ ଯାତ୍ରା ସମୟରେ ଏକ ଗୋଷ୍ଠୀ ବୁଲଡୋଜର ଲଗାଇ ଲେନିନ୍‌ଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଥିଲେ। ତେବେ ବିଜେପି ରାଜ୍ୟ ଉପାଧ୍ୟକ୍ଷ ସୁବଳ ଭୌମିକ କହିଛନ୍ତି ସେ ସିପିଏମ୍‌ କର୍ମୀଙ୍କ ହିଂସାକାଣ୍ଡରେ ପାଖାପାଖି ୪୯ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ସିପିଏମ୍‌ ରାଜ୍ୟ ସଚିବ ବିଜନ ଧାର୍‌ଙ୍କ ଅଭିଯୋଗ ଅନୁଯାୟୀ ବିଜୟ ହାସଲ ପରେ ବିଜେପି ସମର୍ଥକଙ୍କ ଦ୍ୱାରା ଗତ ସୋମବାରଠାରୁ ହୋଇଥିବା ୨୦୦ରୁ ଊର୍ଦ୍ଧ୍ୱ ହିଂସାକାଣ୍ଡରେ ସିପିଏମ୍‌ର ପାଖାପାଖି ୫୧୪ ଦଳୀୟ କର୍ମୀ ଏବଂ ସମର୍ଥକ ଆହତ ହୋଇଛନ୍ତି। ବିଜେପି ସମର୍ଥକମାନେ ସିପିଏମ୍‌ ସମର୍ଥକଙ୍କର ୧୫୩୯ ଗୃହ ଭାଙ୍ଗି ଦେଇଥିବାବେଳେ ୬୪ ଅଫିସରେ ନିଅାଁ ଲଗାଇ ଦେଇଛନ୍ତି। ବିଜେପି ସମର୍ଥକଙ୍କ ଦ୍ୱାରା ସିପିଏମ୍‌ର ୨୦୮ ଅଫିସ ବଳପୂର୍ବକ ଅକ୍ତିଆର କରିନିଆଯାଇଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର