କର୍ଣ୍ଣାଟକ ସଙ୍କଟ, ପୁଣି ଇସ୍ତଫା ଦେଲେ ବିଧାୟକ

ବାଚସ୍ପତିଙ୍କ ଆବେଦନ ଅଗ୍ରାହ୍ୟ, ଯାଞ୍ଚ ପରେ ହିଁ ଇସ୍ତଫା ସଂପର୍କରେ ନିଷ୍ପତ୍ତି: ବାଚସ୍ପତି

ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ, ଘୋଷଣା ପାଇଁ କଂଗ୍ରେସ-ଜେଡିଏସ୍‌ର ପ୍ରୟାସ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ଡ୍ରାମା ଆଜି ନୂଆ ମୋଡ଼ ନେଇଛି। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିଦ୍ରୋହୀ ବିଧାୟକମାନେ ଆଜି ସନ୍ଧ୍ୟା ୬ଟାରେ ବେଙ୍ଗାଲୁରୁ ବିଧାନ ସୌଦରେ ବାଚସ୍ପତି କେ.ଆର୍‌. ରମେଶ କୁମାରଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଆଜି ରାତି ୧୨ଟା ସୁଦ୍ଧା ବିଧାୟକଙ୍କ ଇସ୍ତଫା ସଂପର୍କରେ ନିଷ୍ପତ୍ତି ନେଇ ଅଦଲତଙ୍କୁ ଅବଗତ କରାଇବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ମିଳିଛି। ଅନ୍ୟପକ୍ଷରେ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିବା ପାଇଁ ଅଧିକ ସମୟ ନିମନ୍ତେ ଆବେଦନ କରି ବାଚସ୍ପତି ରମେଶ କୁମାର ସୁପ୍ରିମ୍‌ କୋର୍ଟରେ ଦାଖଲ କରିଥିବା ପିଟିସନକୁ ଜରୁରୀ ଶୁଣାଣି ପାଇଁ ସୁପ୍ରିମ୍‌ କୋର୍ଟ ଗ୍ରହଣ କରିନାହାନ୍ତି। ବାଚସ୍ପତି ଯୁକ୍ତି ଦର୍ଶାଇଥିଲେ ଯେ ସେ ଗୋଟିଏ ରାତିରେ ବିଧାୟକଙ୍କ ଇସ୍ତଫା ସଂପର୍କରେ ନିଷ୍ପତ୍ତି ନେଇପାରିବେ ନାହିଁ। ବିଧାୟକମାନେ ନିଜ ଇଛାରେ କିମ୍ବା କୌଣସି ଚାପରେ ଇସ୍ତଫା ଦେଇଛନ୍ତି, ତାହାର ଯାଞ୍ଚ କରାଯିବ ବୋଲି ସେ କହିଥିଲେ। ତେବେ ସୁପ୍ରିମ୍‌ କୋର୍ଟ ଏଥିରେ କହିଥିଲେ ଯେ ଆସନ୍ତାକାଲି ଏ ବାବଦ ଶୁଣାଣି ପାଇଁ ଧାର୍ଯ୍ୟ ହୋଇସାରିଛି ଏବଂ ଆଜି ରାତି ୧୨ଟା ସୁଦ୍ଧା ହିଁ ଇସ୍ତଫା ବାବଦରେ ନିଷ୍ପତ୍ତି ନେବାକୁ ପଡ଼ିବ।

ସମସ୍ତ ବିଧାୟକ ଆଜି ସନ୍ଧ୍ୟା ୬ଟାରେ ବାଚସ୍ପତିଙ୍କ ସମ୍ମୁଖରେ ହାଜର ହୋଇ ପୁନଃ ଇସ୍ତଫା ଦେବା ପରେ କର୍ଣ୍ଣାଟକ ରାଜନୀତି ସରଗରମ ହୋଇଉଠିଛି। ଆଜି ସକାଳେ ସୁପ୍ରିମ୍‌ କୋର୍ଟ ବିଧାୟକମାନଙ୍କୁ ପୁନଃ ଇସ୍ତଫା ଦେବାପାଇଁ କହିବା ସହ ସେମାନଙ୍କୁ ପୂର୍ଣ୍ଣ ସୁରକ୍ଷାରେ ବିଧାନ ସୌଦରେ ପହଞ୍ଚାଇବା ନିମନ୍ତେ କର୍ଣ୍ଣାଟକ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏ ସଂକ୍ରାନ୍ତରେ ଆସନ୍ତାକାଲି ମଧ୍ୟ ଶୁଣାଣି ହେବ ବୋଲି ବୋଲି ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି। ଆଜି ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶପରେ ବିଧାୟକମାନେ ମୁମ୍ବାଇରୁ ଅପରାହ୍ନ ୨ଟାରେ ବେଙ୍ଗାଲୁରୁ ଅଭି‌ମୁଖେ ଯିବାପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ। ଅପରାହ୍ନ ସାଢ଼େ ୫ଟାରେ ୧୦ କଂଗ୍ରେସ ବିଧାୟକ ବିଧାନ ସୌଦ ପରିସରରେ ପହଞ୍ଚିଯାଇଥିଲେ । ଠିକ୍‌ ୬ଟାରେ ସମସ୍ତ ବିଧାୟକ ବାଚସ୍ପତିଙ୍କୁ ଭେଟି ସେମାନଙ୍କ ଇସ୍ତଫାପତ୍ର ଦେଇଥିଲେ। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ବାଚସ୍ପତି ବିଧାୟକମାନଙ୍କ ଇସ୍ତଫା ସଂପର୍କରେ ସୂଚନା ଦେଇଥିଲେ। ପୂର୍ବରୁ ଯେଉଁ ପ୍ରକ୍ରିୟାରେ ସେମାନେ ଇସ୍ତଫା ଦେଇଥିଲେ ତାହା ବୈଧ ନଥିଲା ବୋଲି ବାଚସ୍ପତି କହିଛନ୍ତି। ଏବେ ତାଙ୍କୁ ଯେଉଁ ବିଧାୟକଙ୍କ ଇସ୍ତଫାପତ୍ର ମିଳିଛି ସେ ବାବଦରେ ସେ ଯାଞ୍ଚ କରିବେ ଏବଂ ତା’ପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ରାଜ୍ୟରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ନେଇ ତାଙ୍କର କୌଣସି ମତ ଦେବାର ନାହିଁ ବୋଲି ବାଚସ୍ପତି କହିଥିଲେ। ଅନ୍ୟପକ୍ଷରେ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରୁ ୮ ଜଣଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନିବେଦନ କରାଯାଇଛି। ଜେଡିଏସ୍‌ ମଧ୍ୟ ଦଳର ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବାଚସ୍ପତିଙ୍କୁ ନିବେଦନ କରିଛି। ବିଜେପିର ଏକ ପ୍ରତିନିଧି ଦଳ ଆଜି ଅପରାହ୍ନରେ ବିଧାନ ସୌଦରେ ବାଚସ୍ପତିଙ୍କୁ ଭେଟିବାକୁ ପ୍ରୟାସ କରିଥିଲେ ମଧ୍ୟ ସେମାନଙ୍କୁ ସୁଯୋଗ ଦିଆଯାଇ ନଥିଲା।

ବିଧାୟକଙ୍କୁ ହ୍ବିପ୍‌ ଜାରି କଲା କଂଗ୍ରେସ
ଆସନ୍ତାକାଲିଠାରୁ କର୍ଣ୍ଣାଟକ ବିଧାନସଭାର ଅଧିବେଶନ ଆରମ୍ଭ ହେଉଥିବା ବେଳେ ସମସ୍ତ ବିଧାୟକ ଗୃହରେ ଉପସ୍ଥିତ ରହିବାକୁ କଂଗ୍ରେସ ହ୍ବିପ୍‌ ଜାରି କରିଛି। କଂଗ୍ରେସ ମୁଖ୍ୟ ସଚେତକ ଗଣେଶ ହୁକ୍କେରି କହିଛନ୍ତି ଯେ ସମସ୍ତ ଦଳୀୟ ବିଧାୟକଙ୍କୁ ଗୃହରେ ଉପସ୍ଥିତ ରହି ଆଗତ ହେବାକୁ ଥିବା ଯେ କୌଣସି ବିଧେୟକ କିମ୍ବା ପ୍ରସ୍ତାବକୁ ସମର୍ଥନ ଦେବାକୁ ହେବ। ଏହାକୁ ଅମାନ୍ୟ କରୁଥିବା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର