୧୦ ବର୍ଷରେ ଲୋପ ପାଇବ ଏଡସ୍ : ହାଭାର୍ଡ ଗବେଷକ

 

ନୂଆଦିଲ୍ଲୀ : ଦିନେ ବିଶ୍ବର ସବୁଠୁ ଭୟଙ୍କର ରୋଗର ମାନ୍ୟତା ପାଇଥିବା ଏଡସର ଦିନକାଳ ଶେଷ ହୋଇଆସୁଛି ।  ଆସନ୍ତା ୧୦ ବର୍ଷ ବେଳକୁ ସମଗ୍ର ବିଶ୍ବରେ ଏଡସରୋଗ ଏକ ବିରଳ ରୋଗରେ ପରିଣତ ହୋଇଥିବ ବୋଲି ହାଭାର୍ଡ ବିଶ୍ବବିଦ୍ୟାଳୟର ଜଣେ ଗବେଷକ କହିଛନ୍ତି ।

ହାଭାର୍ଡର ସ୍ବାସ୍ଥ୍ୟ ବିଜ୍ଞାନ ପ୍ରଫେସର ଫିଲିସ କାଙ୍କି ହାଭାର୍ଡ ପବ୍ଲିକ ହେଲଥ ପତ୍ରିକାକୁ କହିଛନ୍ତି ଯ଼େ  ଆସନ୍ତା ୧୦ ବର୍ଷରେ ମଣିଷ ଏଡସର ବିଲୁପ୍ତିକୁ ଦେଖିପାରିବ । ଏଡସ ମହାମାରୀ ଶେଷ ହୋଇଆସୁଛି । ଆମେ ଏପର୍ୟ଼୍ୟନ୍ତ ଏଡସକୁ ସମ୍ପୂର୍ଣ୍ଣ ଭାବେ ଲୋପ କରିପାରିନାହୁଁ, କିନ୍ତୁ ଗତ ୪୦ ବର୍ଷରେ ଏହି ରୋଗ ଚିହ୍ନଟ ଓ ଚିକିତ୍ସା ଦିଗରେ ଯ଼ଥେଷ୍ଟ ଉନ୍ନତି ହୋଇଛି । ଏଣୁ ଆସନ୍ତା ୧୦ ବର୍ଷରେ ଏଡସ ଏକ ଅତି ବିରଳ ରୋଗରେ ପରିଣତ ହେବ । ଆଗାମୀ ଦିନରେ ଏଡସ ପାଇଁ ଏକ ଟିକା ଆସିପାରେ ଯ଼ଦ୍ବାରା କି ସଂକ୍ରମଣ ଆଶଙ୍କା କମିଯିବ ବୋଲି ସେ କହିଛନ୍ତି ।

ସୂଚନାଯ଼ୋଗ୍ୟ ଯ଼େ ୧୯୮୧ ମସିହାରେ ବିଶ୍ବରେ ପ୍ରଥମ ଏଡସ ସଂକ୍ରମଣ ଆମରିକାରେ ଚିହ୍ନଟ ହୋଇଥିଲା । ଚଳିତ ବର୍ଷ ଏଡସ ଚିହ୍ନଟ ହେବାର ୪୦ ବର୍ଷ ପୂରଣ ହେଉଛି । ଏହି ୪୦ ବର୍ଷରେ ବିଶ୍ବରେ ପ୍ରାୟ ୩୬ ନିୟୁତ ଲୋକ ଏଡସ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । କିନ୍ତୁ ଗତ ଦୁଇ ଦଶନ୍ଧିରେ ଏଡସ ରୋଗର ଚିହ୍ନଟ ଓ ନିରାକରଣ ଦିଗରେ ଯ଼ଥେଷ୍ଟ ଅଗ୍ରଗତି ଆସିଛି । ଫଳରେ ଏହି ରୋଗ ଏବେ ନିୟନ୍ତ୍ରିତ ସ୍ତରରେ ରହିଛି ।

ସମ୍ବନ୍ଧିତ ଖବର