ଦେବଦୂତ ସାଜିଲେ ଏମ୍ସ ଡାକ୍ତର, ରକ୍ତ ଦେଇ ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ଭବତୀଙ୍କ ଜୀବନ ରକ୍ଷାକଲେ

ଭୁବନେଶ୍ବର: ଓଡ଼ିଆ ଛବି ‘ଦମନ’ରେ ପ୍ରଦର୍ଶିତ ଜଣେ ଡାକ୍ତରଙ୍କ ନିସ୍ବାର୍ଥପର ସେବା କିଭଳି ବିରାଟ ପରିବର୍ତ୍ତନ ଆଣିଛି ତାହା ଏବେ ସବୁଠି ପ୍ରଶଂସିତ ହେଉଛି। ଠିକ ସେଇଭଳି ଦେବଦୂତ ସାଜି ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇ ପ୍ରଶଂସା ସାଉଁଟିଛନ୍ତି ଆଉ ଜଣେ ଡାକ୍ତର ।  ଜୀବନ ଓ ମୃତ୍ୟୁ ମଝିରେ ଝୁଲୁଥିବା ଜଣେ ଗର୍ଭବତୀ ମହିଳାଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି ଭୁବନେଶ୍ବର ଏମ୍ସର ଡାକ୍ତର ଦେବାଶିଷ ମିଶ୍ର। ରପଚରର୍ଡ ଏକ୍ଟୋପିକ୍ ଗର୍ଭବତୀ ଥିବା ଜଣେ ମହିଳାଙ୍କୁ ବି ନେଗେଟିଭ୍ ରକ୍ତ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଏମ୍ସ ଭୁବନେଶ୍ବରରେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର୍ ଦେବାଶିଷ ମିଶ୍ର।

ଡାକ୍ତର ଜଣକ ନିଜ ବିଭାଗରେ ଡ୍ୟୁଟି କରୁଥିବା ସମୟରେ ଜାଣିବାକୁ ପାଇଥିଲେ ଯେ  ସଂକଟାପନ୍ନ ଥିବା ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ରକ୍ତର ଆବଶ୍ୟକତା ରହିଛି। ପ୍ରସୂତୀଙ୍କୁ ରକ୍ତ ଦେବାକୁ ସାଙ୍ଗରେ କେହି ସମ୍ପର୍କୀୟ ନଥିଲେ କିମ୍ବା ତତକ୍ଷଣାତ୍ ରକ୍ତ ଭଣ୍ଡାରରେ ବି ନେଗେଟିଭ ଗ୍ରୁପ୍ ର ରକ୍ତ ମଧ୍ୟ ମହଜୁଦ୍ ନଥିଲା। ମାତ୍ର ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଏବଂ ରକ୍ତସ୍ରାବ ହେଉଥିବା ଉକ୍ତ ପ୍ରସୂତୀଙ୍କ ପାଇଁ ତୁରନ୍ତ ରକ୍ତ ଆବଶ୍ୟକ ଥିଲା। ତେଣୁ ଜନନୀ ଯନ୍ତ୍ରଣା ଭୋଗୁଥିବା ଜଣେ ମହିଳାଙ୍କୁ ରକ୍ତ ଦେବାକୁ ଆଗେଇଆସିଥିଲେ ଡା. ମିଶ୍ର।

ପରିସ୍ଥିତିକୁ ହୃଦୟଙ୍ଗମ କରି ଡାକ୍ତର ମିଶ୍ର ସାହାଯ୍ୟ ଲାଗି ଆଗେଇ  ଆସି ରୋଗୀଙ୍କୁ ବି ନେଗେଟିଭ ରକ୍ତଦାନ  କରିଥିଲେ | ଯଦି ରୋଗୀ ସେହି ସମୟରେ ଆବଶ୍ୟକ ରକ୍ତ ପାଇ ନଥାନ୍ତେ ତା’ହେଲେ ସେ ମୃତ୍ୟୁମୁଖରେ ପଡ଼ିଥାନ୍ତି  ବୋଲି ଏମ୍ସ ଭୁବନେଶ୍ୱରର ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କଠାରୁ ଜଣାପଡ଼ିଛି । ଡ଼ାକ୍ତରଙ୍କ ଏହି କାର୍ଯ୍ୟ ପରେ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି।  ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଅଶୁତୋଷ ବିଶ୍ବାସ ଡାକ୍ତର ମିଶ୍ରଙ୍କ ଉତ୍ତମ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଡକ୍ଟର ମିଶ୍ର ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର