ଜୁନ ୧୦ରୁ ବନ୍ଦେ ଭାରତ ମିଶନର ୩ୟ ପର୍ଯ୍ୟାୟ, ବୁକିଂ ଆରମ୍ଭ ହେଉ ହେଉ ଏୟାର ଇଣ୍ଡିଆ ୱେବସାଇଟ  ଅଚଳ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ପକ୍ଷରୁ ବନ୍ଦେ ଭାରତ ମିଶନର ୩ୟ ପର୍ଯ୍ୟାୟ ଆରମ୍ଭ କରିବା ବିଷୟରେ ଘୋଷଣା କରାଯାଇଛି । ୩ୟ ପର୍ଯ୍ୟାୟରେ ଆମେରିକା ଓ ବ୍ରିଟେନରେ ଫସିରହିଥିବା ଭାରତୀୟ ନାଗରିକଙ୍କୁ ଆଣିବାକୁ ୩୦୦ଟି ଫ୍ଲାଇଟର ବ୍ୟବସ୍ଥା କରାଯାଇଛି । ଏହି ଫ୍ଲାଇଟରେ ବୁକିଂ କରିବାକୁ ନେଇ ଯାତ୍ରୀମାନଙ୍କ ଠାରୁ ପ୍ରବଳ ଚାହିଦା ପରିଲକ୍ଷିତ ହୋଇଛି । କିନ୍ତୁ ଶୁକ୍ରବାରଦିନ ଏୟାରଇଣ୍ଡିଆ ୱେବସାଇଟରେ ବୁକିଂ ଆରମ୍ଭ ହେବା ମାତ୍ରେ ତାହା କ୍ରାସ କରିଯାଇଥିଲା । ଏହାକୁ ନେଇ ଲୋକମାନେ ପ୍ରବଳ ଅସନ୍ତୋଷ ବ୍ୟକ୍ତ  କରିଛନ୍ତି ।

ବନ୍ଦେ ଭାରତ ମିଶନର ୩ୟ ପର୍ଯ୍ୟାୟରେ ଆସନ୍ତା ଜୁନ ୧୦ରୁ ଜୁଲାଇ ୧ ମଧ୍ୟରେ ଆମେରିକା, ୟୁରୋପ, ବ୍ରିଟେନ,ଅଷ୍ଟ୍ରେଲିଆ ଆଦି ଦେଶରୁ ଭାରତୀୟମାନଙ୍କୁ ଫେରାଇ ଅଣାଯିବ ।

ଉଲ୍ଲେଖନୀୟ ଯେ , ‘ବନ୍ଦେ ଭାରତ ମିଶନ ଅଟକି ଥିବା ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ସରକାରଙ୍କ ଏକ ବଡ଼ କାର୍ଯ୍ୟକ୍ରମ । ଏଥିରେ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ଓ ନିରାପତ୍ତା ବ୍ୟବସ୍ଥାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଡିଜିସିଏ, ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ କଡାକଡି ଭାବେ ପାଳନ କରୁଛି । ବିମାନ କର୍ମଚାରୀ, ବୈମାନିକ, ଯାତ୍ରୀ ଏବଂ ବିମାନ ବନ୍ଦରର ଗ୍ରାଉଣ୍ଡ ଷ୍ଟାଫ ଓ ଅନ୍ୟାନ୍ୟ କର୍ମଚାରୀ ଯେପରି ଭୂତାଣୁ ସଂକ୍ରମିତ ନ ହୁଅନ୍ତି ସେଥିପାଇଁ ସବୁ ସମ୍ଭାବ୍ୟ ସ୍ୱାସ୍ଥ୍ୟଗତ ନିରାପତ୍ତା ଓ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସରକାରୀ ନିର୍ଦ୍ଦେଶାବଳୀ ଅନୁସାରେ ସବୁ ନିରାପତ୍ତା ବ୍ୟବସ୍ଥାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରାଯାଉଛି ।

ସମ୍ବନ୍ଧିତ ଖବର