ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୩ ତାରିଖ ସକାଳ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା ‘ୟାସ’

ଓଡିଶାର ୧୪ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇସାରିଛି ଲଘୁଚାପ କ୍ଷେତ୍ର । ଭାରତୀୟ ପାଣିପାଗ ବିଭାଗ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ଆଜି ସକାଳେ ଏହା ଲଘୁଚାପର ରୂପ ନେଇସାରିଥିବାବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ୨୩ ତାରିଖ ସକାଳ ସୁଦ୍ଧା ଅବପାତର ରୂପ ନେବ । ସେହିପରି ୨୪ ତାରିଖରେ ଏହା ସାମୁଦ୍ରିକ ଝଡ ଅର୍ଥାତ ବାତ୍ୟାର ରୂପ ନେବ ।

ବାତ୍ୟା ରୂପ ନେବା ପରେ ଏହାର ନାମ ହେବ ‘ୟାସ’ । ଓମାନ ଏହି ବାତ୍ୟାର ନାମକରଣ କରିଛି । ତେବେ ଅତି ପ୍ରବଳ ବାତ୍ୟା ଆକାରରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୂଳରେ ପହଞ୍ଚିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ପୂର୍ବରୁ ଏହା ୨୬ ତାରିଖ ସକାଳ ସୁଦ୍ଧା ପହଞ୍ଚିବା ନେଇ ଅନୁମାନ କରାଯାଉଥିଲା । ଏବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇସାରିଥିବାରୁ ଏହାର ଗତିପଥ ଓ ତୀବ୍ରତା ନେଇ ଅଧିକ ସୂଚନା ମିଳିପାରିବ ବୋଲି ଅନୁମାନ କରାଯାଉଛି ।

Cyclone Yaas IMD weather alert
indiatoday.in

ସାମୁଦ୍ରିକ ବାତ୍ୟା ୟାସ୍ ପ୍ରଭାବ ପୂର୍ବରୁ ଓଡିଶାର ୩୦ଟି ଜିଲ୍ଲା ମଧ୍ୟରୁ ୧୪ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ଓଡ଼ିଶା ସରକାର ଭାରତୀୟ ନୌସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି। ଆସନ୍ତା ସପ୍ତାହରେ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ବେଲ୍ଟରେ ଚାଲିବାକୁ ଥିବା ୨୨ଟି ସ୍ୱତନ୍ତ୍ର ଟ୍ରେନ୍ ବାତିଲ କରାଯାଇଥିବା ନେଇ ଭାରତୀୟ ରେଳ ଘୋଷଣା କରିଛି |

ସମ୍ବନ୍ଧିତ ଖବର