ପାକିସ୍ତାନକୁ ଆମେରିକାର ଚେତାବନୀ:ନୀତି ନ ବଦଳାଇଲେ ଦେଶ ନିୟନ୍ତ୍ରଣ ହରାଇବ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବାରମ୍ବାର ଚେତାଇ ଆସୁଥିବା ଆମେରିକା ଆଜି ପୁଣିଥରେ କଡ଼ା ବୟାନ ଜାରି କରିଛି। ପାକିସ୍ତାନ ସରକାର, ସେନା ଓ ଗୁଇନ୍ଦା ବିଭାଗ ଆତଙ୍କବାଦୀଙ୍କ ସହ ସମ୍ପର୍କରେ ପରିବର୍ତ୍ତନ ଆଣିବା ଜରୁରୀ ବୋଲି ଆମେରିକା କହିଛି। ହକାନି ନେଟଓ୍ଵର୍କ ଏବଂ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀମାନଙ୍କ ସହ ପାକିସ୍ତାନ ଯଦି ଏହାର ସମ୍ପର୍କ ପରିବର୍ତ୍ତନ ନକରେ ତେବେ ଏହା ଦେଶ ଉପରୁ ନିୟନ୍ତ୍ରଣ ହରାଇବ ବୋଲି ଆମେରିକା ବିଦେଶ ବିଭାଗ ସଚିବ ରେକ୍ସ ଟିଲରସନ୍‌ ସତର୍କ କରାଇଦେଇଛନ୍ତି। ୨୦୧୭ ଆଟଲାଣ୍ଟିକ୍‌ କାଉନସିଲ-କୋରିଆ ଫାଉଣ୍ଡେସନ ଫୋରମ ଦ୍ୱାରା ଆୟୋଜିତ ‘ମିଟିଂ ଦି ଫରେନ ପଲିସି ଚ୍ୟାଲେଞ୍ଜେସ ଅଫ ୨୦୧୭ ଆଣ୍ଡ ବିୟଣ୍ଡ୍‌’ରେ ମତ ରଖି ଟିଲରସନ କହିଛନ୍ତି ଆମେ ପାକିସ୍ତାନରୁ ଆତଙ୍କବାଦୀଙ୍କୁ ହଟାଇବା ଦିଗରେ କାର୍ଯ୍ୟ କରିବାକୁ ଚାହୁଁ କିନ୍ତୁ ପାକିସ୍ତାନକୁ ଏଥିଲାଗି ହକାନି ନେଟଓ୍ଵର୍କ ଏବଂ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପର୍କ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଆତଙ୍କବାଦୀ ଦମନ ପ୍ରସଙ୍ଗରେ ଟ୍ରମ୍ପ୍‌ ପ୍ରଶାସନ ପାକିସ୍ତାନକୁ ବାରମ୍ବାର ସତର୍କ କରାଇବା ସତ୍ତ୍ୱେ ମଧ୍ୟ ଆତଙ୍କବାଦୀ ଗୋଷ୍ଠୀଙ୍କ ପ୍ରତି ପାକିସ୍ତାନର ବ୍ୟବହାର ବଦଳୁନାହିଁ। ନିକଟରେ ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ମୁକ୍ତ ହେବାପରେ ତାକୁ ପୁଣିଥରେ ଗିରଫ କରିବାପାଇଁ ପାକିସ୍ତାନକୁ ଆମେରିକା ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ପାକିସ୍ତାନ ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରି ହାଫିଜ୍‌କୁ ଲଗାତାର ସୁରକ୍ଷା ଦେଇଚାଲିଛି। ଟିଲରସନ୍‌ କହିଛନ୍ତି ପାକିସ୍ତାନ ଆମେରିକା ମଧ୍ୟରେ ଉତ୍ତମ ସମ୍ପର୍କ ଥିବାର ଏକ ଲମ୍ବା ଇତିହାସ ରହିଛି, କିନ୍ତୁ ଗତ ଗୋଟିଏ ଦଶନ୍ଧୀ ମଧ୍ୟରେ ଏହି ସମ୍ପର୍କ ଦୁର୍ବଳ ହୋଇଯାଇଛି। ତେବେ ପାକିସ୍ତାନ ଏବେ ବି ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ଟିଲରସନ କହିଛନ୍ତି

ସମ୍ବନ୍ଧିତ ଖବର