ଇତିହାସରେ ପ୍ରଥମ: ରୁଷ୍‌ ଆଡୁ ବିପଦ ଆଶଙ୍କା କରି ୪୦,୦୦୦ ‘ରେସ୍‌ପନ୍‌ସ୍‌ ଫୋର୍ସ’ ସକ୍ରିୟ କଲା ‘ନାଟୋ’

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ରୁଷ୍‌ ପ୍ରଚଣ୍ଡ ଆକ୍ରମଣ ଚଳାଇ ଥିବା ବେଳେ ‘ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେସନ୍‌’ (ନାଟୋ) ପ୍ରତିରକ୍ଷାମୂଳକ ପଦକ୍ଷେପ ଭାବେ ୪୦, ୦୦୦ ‘ରେସ୍‌ପନ୍ସ୍‌ ଫୋର୍ସ’ ସକ୍ରିୟ କରିଛି। ‘ନାଟୋ’ ଇତିହାସରେ ଏହା ହେଉଛି ପ୍ରଥମ ଘଟଣା।

ଶୁକ୍ରବାର ଦିନ ‘ନାଟୋ’ର ମୁଖ୍ୟ ଜେନ୍‌ସ୍‌ ଷ୍ଟଲ୍‌ଟେନ୍‌ବର୍ଗ କହିଛନ୍ତି, ସଂଘ ରାଷ୍ଟ୍ରମାନେ ପ୍ରତିରକ୍ଷା ବ୍ୟବସ୍ଥା ସକ୍ରିୟ କରିଛନ୍ତି ଏବଂ ଏହା ଫଳରେ ସେମାନେ ଜଳ, ସ୍ଥଳ ଓ ଆକାଶରେ ‘ନାଟୋ ରେସ୍‌ପନ୍‌ସ୍‌ ଫୋର୍ସ’ ମୁତୟନ କରୁଛନ୍ତି। ଏଥିରେ ରହିଛି ହଜାର ହଜାର ସଂଖ୍ୟକ ବହୁଦେଶୀୟ ସେନାନୀ। ୩୦ଟି ସ୍ଥାନରେ ୧୦୦ଟି ଲଢୁଆ ବିମାନ ହାଇ ଆଲର୍ଟରେ ରଖାଯାଇଛି। ସେଗୁଡ଼ିକୁ ରୁଷ୍‌ ଓ ୟୁକ୍ରେନ୍‌‌ ନିକଟରେ ଅବସ୍ଥିତ ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ଅବିଳମ୍ବେ ମୁତୟନ କରିହେବ।

ଷ୍ଟଲ୍‌ଟେନ୍‌ବର୍ଗ ଆହୁରି ମଧ୍ୟ କହିଛନ୍ତି, ଭୁଲ୍‌ଭଟକା ଅଥବା ବୁଝାମଣା ହେବାର ପ୍ରଶ୍ନ ଉଠୁନାହିଁ। ପ୍ରତି ସଦସ୍ୟ ରାଷ୍ଟ୍ର ଏବଂ ‘ନାଟୋ’ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ଯାହା ଆବଶ୍ୟକ ତାହା କରିବୁ।

Image Courtesy of Business Insider

କିନ୍ତୁ, ‘ନାଟୋ’ର ସଦସ୍ୟ ନ ହୋଇ ନ ଥିବା ୟୁକ୍ରେନ୍‌କୁ ‘ନାଟୋ’ ସେନା ଯିବେ କି ନାହିଁ, ସେ ପ୍ରସଙ୍ଗରେ ଷ୍ଟଲ୍‌ଟେନ୍‌ବର୍ଗ କିଛି କହିନାହାନ୍ତି। ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିସାରିଥିଲେ ସୁଦ୍ଧା ୨୭ ରାଷ୍ଟ୍ରର ସଦସ୍ୟତା ଥିବା ‘ନାଟୋ’ର ନିଷ୍କ୍ରିୟତା ଉପରେ ବ୍ୟାପକ ସମାଲୋଚନା ହେବା ପରେ ଏ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଅନ୍ୟ ‘ନାଟୋ’ ନେତାମାନଙ୍କ ସହ ଜରୁରୀ ପରାମର୍ଶ କରାଯିବା ପରେ ‘ରେସ୍‌ପନ୍‌ସ୍‌ ଫୋର୍ସ’କୁ ସକ୍ରିୟ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

‘ନାଟୋ ସୁପ୍ରିମ୍‌ ଆଲାଏଡ୍‌ କମାଣ୍ଡର୍‌ ଜେନେରାଲ୍‌’ ଟଡ୍‌ ୱଲଟର୍ସ କହିଛନ୍ତି: ଏହା ସ୍ମରଣୀୟ ମୁହୂର୍ତ୍ତ। ପ୍ରଥମ ଥର ପାଇଁ ମେଣ୍ଟ ସେନାକୁ ଏଭଳି ହାଇ ଆଲର୍ଟରେ ରହିବାକୁ ନିର୍ଦେଶ ଦେଇଛି।

ସମ୍ବନ୍ଧିତ ଖବର