ମୋଦୀ ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ, କଂଗ୍ରେସର ଆସନ କମିବ : ଅମିତ ଶାହା

ଗୌହାଟୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପରେ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ଓ କଂଗ୍ରେସ ନିଜର ବର୍ତ୍ତମାନ ଆସନ ସଂଖ୍ୟାଠାରୁ ବି କମ ଆସନ ପାଇବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଦାବି କରିଛନ୍ତି।

ଆସାମରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ଶାହା ଅଭିଯୋଗ କରିଛନ୍ତି ଯେ କଂଗ୍ରେସର ଆଭିମୁଖ୍ୟ ନକାରାତ୍ମକ ରହୁଛି । ନୂଆ ସଂସଦ ଭବନର ଉଦଘାଟନକୁ ବହିଷ୍କାର କରି କଂଗ୍ରେସ ରାଜନୀତି କରୁଛି ।

ଆସନ୍ତା ବର୍ଷ ନରେନ୍ଦ୍ର ମୋଦି ପୁଣି ଥରେ ୩୦୦ରୁ ଅଧିକ ଆସନ ରେ ପ୍ରଧାନମନ୍ତ୍ରୀ ହେବେ । କଂଗ୍ରେସ ବିରୋଧୀ ଦଳର ମାନ୍ୟତା ହରାଇଛି ଏବଂ ଲୋକସଭାରେ ନିଜର ବର୍ତ୍ତମାନର ଆସନ ସଂଖ୍ୟା ମଧ୍ୟ ସୁରକ୍ଷିତ ରଖିବାରେ ସକ୍ଷମ ହେବ ନାହିଁ ବୋଲି ସେ କହିଛନ୍ତି ।

କଂଗ୍ରେସର ନକାରାତ୍ମକ ମନୋଭାବ ରହିଛି। ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନକୁ ଉଦଘାଟନ କରିବେ, କିନ୍ତୁ ରାଷ୍ଟ୍ରପତି ଏହାକୁ ଉଦଘାଟନ କରନ୍ତୁ ବୋଲି କହି କଂଗ୍ରେସ ଏହାକୁ ବର୍ଜନ କରି ରାଜନୀତି କରୁଛି।

ଶାହା ଦାବି କରିଛନ୍ତି ଯେ କଂଗ୍ରେସ ସରକାର ଅମଳରେ କେତେକ ରାଜ୍ୟରେ ଉକ୍ତ ରାଜ୍ୟର ରାଜ୍ୟପାଳଙ୍କ ପରିବର୍ତ୍ତେ ଉକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପରି କଂଗ୍ରେସ ନେତାମାନେ ନୂତନ ବିଧାନସଭା କୋଠାର ଶିଳାନ୍ୟାସ କରିଥିବା ଉଦାହରଣ ରହିଛି ।

 

 

ସମ୍ବନ୍ଧିତ ଖବର