ସ୍ୱାମୀ ବିବେକାନନ୍ଦଙ୍କ ଘର ଦର୍ଶନ କରି ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କଲେ ଅମିତ ଶାହ

କୋଲ୍‌କାତା: ଶନିବାର ସକାଳେ ଉତ୍ତର କୋଲ୍‌କାତାରେ ଥିବା ସ୍ୱାମୀ ବିବେକାନନ୍ଦଙ୍କର ପୈତୃକ ଗୃହ ଦର୍ଶନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କର ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଶୁକ୍ରବାର ବିଳମ୍ବିତ ରାତିରେ କୋଲ୍‌କାତାରେ ପହଞ୍ଚିଥିବା ଶାହ ଦୁଇଟି ଜିଲ୍ଲା ଗସ୍ତ କରିବା ସହ ରାଲିରେ ଉଦ୍‌ବୋଧନ ଦେବେ ଓ ରୋଡ୍‌ ସୋ’ କରିବେ। ଶାନ୍ତି ନିକେତନରେ ଥିବା ବିଶ୍ୱ ଭାରତୀ ପରିଦର୍ଶନରେ ଯିବା ସହିତ ଶାହ ଜଣେ କୃଷକ ପରିବାର ଏବଂ ଜଣେ ବାଉଲ୍‌ ଗାୟକଙ୍କ ଘରେ ମଧ୍ୟାହ୍ନ ଭୋଜନ କରିବେ।

Image Courtesy of NDTV

ଶାହ କହିଛନ୍ତି, କେବଳ ଭାରତୀୟଙ୍କୁ ନୁହେଁ ସମଗ୍ର ବିଶ୍ୱକୁ ପ୍ରେରିତ କରୁଥିବା ସ୍ଥାନ ଦର୍ଶନ କରି ମୁଁ ଖୁବ୍‌ ଆନନ୍ଦିତ ହେବା ସହ ଭାଗ୍ୟବାନ ମନେକରୁଛି। ଏଇଟା ହେଉଛି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମସ୍ଥାନ। ଜୀବଦ୍ଦଶା ମଧ୍ୟରେ ସ୍ୱାମୀଜୀ ସମଗ୍ର ବିଶ୍ୱରେ ଭାରତର ଜ୍ଞାନ ଓ ସଂସ୍କୃତିର ପ୍ରସାର କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ଧର୍ମ ମହାସଭାରେ ଭାଷଣରେ ସେ ବିଶ୍ୱକୁ ଜାଗତିକ ଭ୍ରାତୃତ୍ୱ ସହ ପରିଚିତ କରାଇଥିଲେ। ସେ ହିଁ ଆଧୁନିକତାକୁ ଅଧ୍ୟାତ୍ମିକତା ସହ ସଂଯୋଗ କରିଥିଲେ। ଭାରତମାତାଙ୍କୁ ଆରାଧନା କରିବାକୁ ସେ ଭାରତୀୟଙ୍କୁ ନିବେଦନ କରିଥିଲେ। ୫୦ ବର୍ଷ ମଧ୍ୟରେ ଭାରତ ସ୍ୱାଧୀନ ହୋଇଥିଲା। ସ୍ୱାମୀଜୀଙ୍କ ମୂଲ୍ୟବୋଧର ପ୍ରାସଙ୍ଗିକତା ସେ ସମୟରେ ଯେମିତି ଥିଲା ଆଜି ମଧ୍ୟ ସେମିତି ରହିଛି।

ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଳ ରାୟ, ପ୍ରାଦେଶିକ ସମ୍ପାଦକ ଦିଲୀପ ଘୋଷ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟଙ୍କ ସମେତ ୧୧ଜଣିଆ ଟିମ୍‌ ଶାହଙ୍କ ସହ ଉପସ୍ଥିତ ଥିଲେ। ଶାହ କିନ୍ତୁ, ଗଣମାଧ୍ୟମ ପ୍ରତିନିଧିମାନଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର