ଅମିତ ଶାହ ଲାଲ୍‌ ଚୌକ୍‌ରେ ପତାକା ଉତ୍ତୋଳନ କରିପାରନ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଥର ଜମ୍ମୁ କଶ୍ମୀରରେ ୭୩ତମ ସ୍ବାଧୀନତା ଦିବସ ଅବସରରେ ଶ୍ରୀନଗରରେ ପତାକା ଉତ୍ତୋଳନ କରିପାରନ୍ତି। ୧୪ ଅଗଷ୍ଟ ସନ୍ଧ୍ୟାରେ ଶାହ ଶ୍ରୀନଗର ଗସ୍ତରେ ଯିବାକୁ ଯୋଜନା ହୋଇଛି। ଧାରା ୩୭୦ ହଟାଯିବା ପରେ ଏଥର ୧୫ ଅଗଷ୍ଟରେ ଶ୍ରୀନଗରର ଲାଲ ଚୌକ୍‌ରେ ଜାତୀୟ ପତାକା ଉତ୍ତୋଳନ କରିବା ନେଇ ରଣନୀତି ପ୍ରସ୍ତତ ହୋଇଥିବା ଜଣାପଡ଼ିଛି। ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ମଧ୍ୟ ଏଭଳି ପଦକ୍ଷେପକୁ ସମର୍ଥନ କରିଛନ୍ତି। ନିକଟରେ କେନ୍ଦ୍ର ସରକାର ଧାରା ୩୭୦ ହଟାଇବା ସହିତ ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରିଥିଲେ ଏବଂ ଉଭୟକୁ କେନ୍ଦ୍ର ଶାସିତ ଅଂଚଳ ଘୋଷଣା କରିଥିଲେ। ଯଦି ଶାହ ସ୍ବାଧୀନତା ଦିବସରେ ଲାଲ ଚୌକ୍‌ରେ ପତାକା ଉତ୍ତୋଳନ କରିବେ ତେବେ ତାହା ଏକ ଐତିହାସିକ ପଦକ୍ଷେପ ହେବ। ଶ୍ରୀନଗର ଗସ୍ତ ପରେ ଅମିତ ଶାହ ୧୬ ଏବଂ ୧୭ ଅଗଷ୍ଟରେ ଲଦାଖ୍‌ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି।

ଜାନୁଆରୀ ୨୬, ୧୯୯୨ରେ ତତ୍କାଳୀନ ବିଜେପି ସଭାପତି ମୁରଲୀ ମନୋହର ଯୋଶୀ ଏବଂ ତତ୍କାଳୀନ ଆର୍‌ଏସ୍‌ଏସ୍‌ ପ୍ରଚାରକ ନରେନ୍ଦ୍ର ମୋଦୀ ଶ୍ରୀନଗରର ଲାଲ ଚୌକ୍‌ରେ ପତାକା ଉତ୍ତୋଳନ କରିବାକୁ ସଫଳ ହୋଇଥିଲେ। ବିଭିନ୍ନ ଆତଙ୍କବାଦୀ ସଂଗଠନର ଧମକ ସତ୍ତ୍ବେ ଏହି କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ୧୯୪୮ରେ ପ୍ରଥମ ଥର ପାଇଁ ଏଠାରେ ପତାକା ଉତ୍ତୋଳନ କରିଥିଲେ।

ସମ୍ବନ୍ଧିତ ଖବର