ବେଙ୍ଗାଲୁରୁ ରାସ୍ତା ପାଲଟିଲା ନଦୀ, ବୁଲଡୋଜରରେ ବସି ଅଫିସ ଗଲେ ଲୋକେ

ନୂଆଦିଲ୍ଲୀ: ନିଜର ମଜାଳିଆ ଟ୍ୱିଟ୍ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହୁଥିବା ଜଣାଶୁଣା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଆଜି ପୁଣି ଏକ ଭିଡିଓ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ଲୋକମାନେ ବର୍ଷା ପାଇଁ ବେଙ୍ଗାଲୁରୁର ଉପୁଜିଥିବା ବନ୍ୟା ପରିସ୍ଥିତିକୁ ଦେଖି ଅଫିସ ଯିବା ପାଇଁ ବୁଲଡୋଜରର ସାହାଯ୍ୟ ନେଉଥିବା ଦେଖିବାକୁ ମିଳିଛି। ବୁଲଡୋଜର ଆ‌ଗରେ ଏବଂ ପଛରେ କିଛି ଲୋକ ଛିଡା ହୋଇଥିବା ବେଳେ ବୁଲଡୋଜରଟି ପାଣି ଭିତରେ ଜାହାଜ ଭଳି ଯାଉଥିବା ଦେଖିବାକୁ ମିଳିଛି।

ତେବେ କେବଳ ବୁଲଡୋଜର ନୁହେଁ ଜଳାର୍ଣ୍ଣବ ହୋଇଥିବା ବେଙ୍ଗାଲୁରୁରେ ଲୋକେ ଯାତାୟତ ପାଇଁ ଟ୍ରାକ୍ଟରର ବ୍ୟବହାର ମଧ୍ୟ କରୁଥିବା ସାମ୍ନାକୁ ଆସିଛି। ଆନନ୍ଦ ମହିନ୍ଦ୍ରା ଏହି ଭିଡିଓ ସେୟାର କରି କ୍ୟପସନରେ ଲେଖିଛନ୍ତି, ଇଚ୍ଛ‌ା ଥିଲେ ଉପାୟ ବଳେ ବଳେ ଆସେ। ଆନନ୍ଦ ମହିନ୍ଦ୍ରା ସେୟାର କରିଥିବା ଏହି ଭିଡିଓରେ ଏକ ବୁଲଡୋଜର ଦେଖାଯାଉଛି ଯେଉଁଥିରେ ୮ଜଣ ଲୋକ ଛିଡା ହୋଇ ପାଣି ଭରିଥିବା ରାସ୍ତା ପାର୍ ହେଉଛନ୍ତି। ସେଥିମଧ୍ୟରୁ ୨ଜଣ ବୁଲଡୋଜର ଚଳାଉଥିବା ଡ୍ରାଇଭରଙ୍କ ପାଖରେ ଥିବାବେଳେ, ଅନ୍ୟମାନେ ବୁଲଡୋଜରର ବ୍ଲେଡ୍ ଉପରେ ଛିଡା ହୋଇଥିବା ଦେଖିବାକୁ ମିଳିଛି।

ତେବେ ଗତ କିଛି ଦିନ ଧରି ବର୍ଷା ଜାରି ରହିଥିବା ବେଳେ ଗତକାଲି ରାତିରେ ଲଗାତାର ୯ ଘଣ୍ଟାର ବର୍ଷା‌ ସହରର ଅଧିକାଂଶ ଅଞ୍ଚଳକୁ ବୁଡ଼ାଇ ଦେଇଛି। ଗୋଟିଏ ସପ୍ତାହରେ ଦ୍ବିତୀୟ ଥର ପାଇଁ ବେଙ୍ଗାଲୁରୁ‌ରେ ଜଳବନ୍ଦୀ ଅବସ୍ଥା ଉପୁଜିଛି। ଆଇଏମ୍‌ଡି ଅନୁଯାୟୀ ବେଙ୍ଗାଲୁରୁରେ ଦିନକରେ ୧୩୧.୬ ମିମି ବର୍ଷା ହୋଇଛି। ଲୋକଙ୍କର ଘରୁ ବାହାରିବା ଅସମ୍ଭବ ହୋଇଥିବା ବେଳେ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର