ବିଶାଖାପଟ୍ଟନମରେ କେମିକାଲ୍‌ ପ୍ଲାଣ୍ଟ୍‌ରେ ବିସ୍ଫୋରଣ: ଜଣେ ମୃତ, ବହୁ ଗୁରୁତର

ବିଶାଖାପଟ୍ଟନମ: ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମଠାରେ ଥିବା ଏକ କେମିକାଲ୍‌ ପ୍ଲାଣ୍ଟ୍‌ରେ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡରେ ଆହୁରି ଅନେକ ଗୁରୁତର ଭାବେ ଆହତ ‌ହୋଇଥିବା ସୂଚନା ରହିଛି। ସହରର ଫାର୍ମାସିଟିରେ ଥିବା ରାମ୍‌କି ସିଇଟିପି ସଲ୍‌ଭେଣ୍ଟ୍‌ସ ବିଲ୍‌ଡିଂରେ ସୋମବାର ବିଳମ୍ବିତ ରାତ୍ରରେ ଏହି ଅଗ୍ନିକାଣ୍ଡ ଘଟିଯାଇଛି।

ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଦୀର୍ଘ ୪ ଘଣ୍ଟା କାଳ ଅପରେସନ୍‌ ଚଳାଇବା ପରେ ନିଆଁ ଆୟତ୍ତକୁ ଆସିଥିଲା। ଏହି ଅଗ୍ନିକାଣ୍ଡ କିପରି ଘଟିଛି ତାହା ଏଯାବତ୍‌ ଜଣାପଡ଼ି ନାହିଁ। ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଜଣେ ପୁଲିସ୍‌କର୍ମୀ ସୂଚନା ଦେଇଛନ୍ତି ଯେ ନିଆଁ ପ୍ରଥମରେ ରିଆକ୍ଟରରୁ ଲାଗିବା ଆରମ୍ଭ ହୋଇ ପରେ ଚାରିଆଡ଼କୁ ବ୍ୟାପି ଯାଇଥିଲା।

India Today

ସେହି ଅଞ୍ଚଳର ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପ୍ଲାଣ୍ଟ୍‌ ଭିତରୁ ଏକାଥରକେ ପ୍ରାୟ ୧୧-୧୨ ଥର ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। କିଛି ସମୟ ମଧ୍ୟରେ ପୂରା ବିଲ୍ଡିଂରେ ନିଆଁ ଦେଖିବାକୁ ମିଳିଥିଲା।

ଏହି ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ୧୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା। ପୁଲିସ୍‌ ପ୍ରାଥମିକ ତଦନ୍ତରୁ କାହାରି ମୃତ୍ୟୁ ହୋଇନଥିବା ଜଣାଇଥିଲେ ବି ପରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମେ ୭ ତାରିଖରେ ସହରର ଏଲଜି ପଲିମର୍‌ପ୍ଲାଣ୍ଟ୍‌ରେ ଅଗ୍ନିକାଣ୍ଡ ଘଟି ୧୪ ଜଣଙ୍କ ଜୀବନ ଯାଇଥିଲ।

ସମ୍ବନ୍ଧିତ ଖବର