ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଲେ ରାଜନାଥ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ବର ସୁରକ୍ଷା ପରିସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିଛି । ବିଶ୍ବ ଧୀରେ ଧୀରେ ଏକ ବଡ଼ ଯୁଦ୍ଧ ଆଡ଼କୁ ଟାଣିହୋଇଯାଉଛି । ଏ ପରିପ୍ରେକ୍ଷୀରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ସେନାକୁ ଏକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଯେକୌଣସି  ପ୍ରକାରର ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ସେନାକୁ ସେ ପରାମର୍ଶ ଦେଇଛନ୍ତି ।

ଏଠାରେ ଅନୁଷ୍ଠିତ ଦ୍ବିବାର୍ଷିକ ସେନା କମାଣ୍ଡର ସମ୍ମିଳନୀକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି ଯେ ଭବିଷ୍ୟତରେ ଭାରତ ଅଣପାରମ୍ପରିକ ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହୋଇପାରେ । ତାହାର ମୁକାବିଲା ପାଇଁ ସେନାକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ତେବେ ଭାରତୀୟ ସେନାର ପ୍ରସ୍ତୁତିକୁ ନେଇ ସେ ସେନାକୁ ଅଭିନନ୍ଦନ ଜଣାଇଥିଲେ ।

ଗତ ଫେବ୍ରୁଆରି ୨୪ ତାରିଖରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା । ଏବେ ଏହି ଯୁଦ୍ଧ ୫୭ତମ ଦିନରେ ପହଞ୍ଚିଛି । ଏହି ଯୁଦ୍ଧ ଯୋଗୁଁ ଆମେରିକା ଓ ପାଶ୍ଚାତ୍ୟ ଦେଶମାନେ ରୁଷ ଉପରେ କଠୋର ଆର୍ଥିକ କଟକଣା ଲଗାଇଛନ୍ତି । ଦିନକୁ ଦିନ ଯୁଦ୍ଧ ଅଧିକ ଭୀଷଣ ହେବା ସହ ତାହା ସମଗ୍ର ବିଶ୍ବକୁ ଦୁଇଟି ଶିବିରରେ ବିଭକ୍ତ କରିଦେଇଛି ।

 

 

 

ସମ୍ବନ୍ଧିତ ଖବର