ଡୋକଲାମ୍‌ ପରେ ଅରୁଣାଚଳ

ଭାରତୀୟ ପାଟ୍ରୋଲିଂକୁ ନାଲିଆଖି

ନୂଆଦିଲ୍ଲୀ: ଡୋକ୍‌ଲାମ୍‌ ପରେ ଅରୁଣାଚଳରେ ଏବେ ଚୀନ୍‌ ନିଜର ଦାଦାଗିରି ଦେଖାଇବାକୁ ପ୍ରୟାସ ଆରମ୍ଭ କରିଛି। ଭାରତ ଉପରେ ଚାପ ସୃଷ୍ଟି ପାଇଁ ଭାରତୀୟ ସେନାର ନିୟମିତ ପାଟ୍ରୋଲିଂକୁ ବିରୋଧ କରି ଚୀନ୍‌ ଏହାକୁ ଅତିକ୍ରମଣର ଆଖ୍ୟା ଦେଉଥିବାରୁ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଛି। ବିଗତ ୨ ମାସ ମଧ୍ୟରେ ଅରୁଣାଚଳକୁ ନେଇ ଚୀନ୍‌ର ବିବାଦୀୟ ବୟାନ ଯୋଗୁଁ ଭାରତ-ଚୀନ୍‌ ଦ୍ୱିପାକ୍ଷିକ ସଂପର୍କ ଜଟିଳ ହେବାରେ ଲାଗିଛି। ପୁଣିଥରେ ଡୋକ୍‌ଲାମ୍‌ ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଚୀନ ଏବେ ଧମକ ଦେଉଥିବାରୁ ଭାରତ ଅରୁଣାଚଳରେ ସୈନ୍ୟ ମୁତୟନ ବଢ଼ାଇଛି। ଭାରତ ସରକାର ଅରୁଣାଚଳର ଅସ୍‌ଫିଲା କ୍ଷେତ୍ରରେ ଚୀନ୍‌ର ଦାବି ଓ ଅତିକ୍ରମଣ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇଛନ୍ତି ଏବଂ ଭାରତର ପଦକ୍ଷେପ ନିଜ ଅଂଚଳରେ ସୀମିତ ରହିଥିବାରୁ ଚୀନ୍‌ର ଅଭିଯୋଗ ଅର୍ଥହୀନ ବୋଲି କୁହାଯାଇଛି।

ନିକଟରେ ଭାରତ ଓ ଚୀନ୍‌ ମଧ୍ୟରେ ହୋଇଥିବା ସୀମା ସୁରକ୍ଷା ଅଧିକାରୀଙ୍କ ବୈଠକରେ ଚୀନ୍‌ ତା’ର ପୁରୁଣା ଚାଲ୍‌ ଚଳାଇ ଓଲଟା ଭାରତ ବିରୋଧରେ ଅଭିଯୋଗ କରିଥିଲା। ଅଯଥା ବିବାଦ ସୃଷ୍ଟି କରି ନିଜର ସାମରିକ ଆଧିପତ୍ୟ ଦେଖାଇବାକୁ ଚୀନ୍‌ର ଅଭ୍ୟାସ ପାଲଟି ଯାଇଥିବାରୁ ଭାରତ ମଧ୍ୟ ଏହାର କଡ଼ା ଜବାବ ଦେଉଛି। ଅସ୍‌ଫିଲା ଅଞ୍ଚଳ ଭାରତରେ ଥିଲେ ମଧ୍ୟ ଏହାକୁ ବିବାଦୀୟ କରିବାକୁ ଚୀନ୍‌ର ଉଦ୍ୟମ ଏହାର ଷଡ଼ଯନ୍ତ୍ରପୂର୍ଣ୍ଣ କୂଟନୀତିର ଅଂଶବିଶେଷ ବୋଲି କୁହାଯାଉଛି । ଭାରତ ନିଜ ସୀମାରେ ଥିବା ଅଞ୍ଚଳରେ ନିଜ ଇଛା ମୁତାବକ ପାଟ୍ରୋଲିଂ କରିବାରେ ମଧ୍ୟ କୌଣସି ଅସୁବିଧା ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଇଛି। ଏହି ଅଂଚଳରେ ଚୀନ୍‌ ସେନାଙ୍କ ବାରମ୍ବାର ଅନୁପ୍ରବେଶକୁ ବରଦାସ୍ତ କରାଯିବ ନାହିଁ ବୋଲି ଭାରତୀୟ ସେନା କହିଛି। ସୀମାକୁ ନେଇ ଭାରତୀୟ ସେନାର ସଠିକ୍‌ ଜ୍ଞାନ ଥିବା ବେଳେ ଚୀନ୍‌ ପ୍ରକୃତ ସୀମରେଖା ସମ୍ପର୍କରେ ନିଜର ଅଜ୍ଞତା ଦୂର କରିବା ଜରୁରୀ ବୋଲି ଭାରତ ସରକାର ଚେତାଇ ଦେଇଛନ୍ତି।

ଅରୁଣାଚଳର ଅସଫିଲା ଓ ଅନ୍ୟ କେତେକ ସୀମା ଅଂଚଳରେ ଭାରତ ନିଜର ସ୍ଥିତି ସୁଦୃଢ଼ କରିବାକୁ ବ୍ୟାପକ ପଦକ୍ଷେପ ନେବାପରେ ଚୀନ୍‌ ଏବେ ଛାନିଆ ହୋଇପଡ଼ିଛି । ଉଲ୍ଲେଖଯୋଗ୍ୟ, ଅରୁଣାଚଳ ଓ ଚୀନ୍‌ର ପ୍ରକୃତ ସୀମା ରେଖାକୁ ନେଇ ବାରମ୍ବାର ବିବାଦ ଉପୁଜୁଥିବା ବେଳେ ରାଜ୍ୟର ବଡ଼ ଅଞ୍ଚଳ ତଓ୍ଵାଙ୍ଗକୁ ଚୀନ୍‌ ନିଜର ବୋଲି ଦାବି କରିଆସୁଛି। ଚୀନ୍‌ ପଟରେ ଥିବା କିବିଧୁ ଅଞ୍ଚଳର ଦୈମାଇ ସେନା ଶିବିର ରହିଥିବା ଅଂଚଳରେ ବିବାଦ ଓ ବିୃଶୃଙ୍ଖଳା ବଢ଼ାଇବାକୁ ପିପୁଲ୍‌ସ ଲିବରେସନ ଆର୍ମି ଉଦ୍ୟମ ଚଳାଇଛି। ଚୀନ୍‌ ନିଜର ବିସ୍ତାରବାଦୀ ନୀତି ଦ୍ୱାରା ଏହି ଅଞ୍ଚଳକୁ ନିଜର ବୋଲି ଦାବି କରି ଭାରତ ଉପରେ ଚାପ ସୃଷ୍ଟି କରବାକୁ ଚେଷ୍ଟା ଜାରି ରଖିଛି। ପୂର୍ବରୁ ଅନେକଥର ଚୀନ୍‌ ଏହି ଅସ୍‌ଫିଲା ଅଞ୍ଚଳରେ ନିର୍ମାଣକାର୍ଯ୍ୟ ମଧ୍ୟ ଆରମ୍‌ କରିଥିବା ବେଳେ ଭାରତୀୟ ସେନାର ବିରୋଧ ପରେ ଏଥିରୁ ନିବୃତ୍ତ ହୋଇଛି। ଗତ ଡିସେମ୍ବରରରେ ଅରୁଣାଚଳର ତୁତିଙ୍ଗ ଅଞ୍ଚଳରେ ମଧ୍ୟ ଚୀନ୍‌ ସେନା ନିର୍ମାଣକାର୍ଯ୍ୟ ବାହାନାରେ ଗୋଟିଏ କିଲୋମିଟର ଭାରତ ସୀମାକୁ ପଶି ଆସିବା ଘଟଣା ଚର୍ଚ୍ଚାରେ ରହିଥିଲା। ଡୋକଲାମରେ ଚୀନ୍‌ ସେନା ପଛକୁ ହଟିବାକୁ ବାଧ୍ୟ ହୋଇଥିବାରୁ ଏବେ ଅରୁଣାଚଳରେ ବିବାଦ ବଢ଼ାଇବାକୁ ବାଟ ଖୋଜୁଛି ।

ସମ୍ବନ୍ଧିତ ଖବର