ଗୁଜରାଟରେ କ୍ଷମତାକୁ ଆସିଲେ ସ୍ବିସ ବ୍ୟାଙ୍କରେ ଥିବା କଳାଧନ ମୁଁ ଫେରାଇ ଆଣିବି: ଅରବିନ୍ଦ କେଜ୍ରିୱାଲ

ଅହମଦାବାଦ: ସ୍ବିସ ବ୍ୟାଙ୍କରେ ଥିବା କଳାଧନ ଭାରତ ଆଣିବି। ଡିସେମ୍ବର ମାସରେ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଗୁଜରାଟରେ ଭାରତୀୟ ଜନତା ପାର୍ଟି (ବିଜେପି) ଶାସନ ସମୟରେ ଦୁର୍ନୀତିରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଟଙ୍କାକୁ ‘ସ୍ୱିସ୍ ବ୍ୟାଙ୍କ’ରେ ରଖିଛନ୍ତି, ଯାହାକୁ ଆମ ଆଦମୀ ପାର୍ଟୀ (ଆପ୍) କ୍ଷମତାକୁ ଆସିବା ପରେ ଫେରାଇ ଆଣିବ।

ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆପ୍ କ୍ଷମତାକୁ ଆସିଲେ ଦିଲ୍ଲୀ ଭଳି ଗୁଜରାଟରେ ୨୦,୦୦୦ ମୋହଲା କ୍ଲିନିକ୍, ରାଜ୍ୟର ପ୍ରତ୍ୟେକ ଗ୍ରାମରେ ସରକାରୀ ବିଦ୍ୟାଳୟ ନିର୍ମାଣ ହେବ। ଏହା ବ୍ୟତୀତ, ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଗୁଜରାଟରେ ସମସ୍ତଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି।

ଏହା ପୂର୍ବରୁ ସେ କହିଥିଲେ ଯେ, ବିଜେପି କୌଣସି କାମ କରିବାକୁ ଚାହେଁ ନାହିଁ। ସେମାନଙ୍କର ପୁଅ ଚେୟାରମ୍ୟାନ୍ ହେବେ ଏବଂ ଭଲ ପଦବୀରେ ରହିବେ। ହେଲେ ସେମାନେ ସାଧାରଣ ଲୋକଙ୍କ ବିଷୟରେ ଚିନ୍ତା କରିବେ ନାହିଁ। ହେଲେ ମୁଁ ପ୍ରତିଶ୍ରୁତି ଦେଉଛି ଯେ, ଚାକିରି ଦେବା ସହ କ୍ଷମତାକୁ ଆସିବା ପରେ ଗୁଜରାଟର ପ୍ରତ୍ୟେକ ଗାଁରେ ଆପ୍ ସରକାରୀ ବିଦ୍ୟାଳୟ ନିର୍ମାଣ କରିବ। ଆମେ କୁଚ ଅଞ୍ଚଳର ପ୍ରତ୍ୟେକ କୋଣକୁ ନର୍ମଦା ଜଳ ଆଣିବୁ। ଆପଣଙ୍କ ପିଲାମାନଙ୍କର ଭବିଷ୍ୟତ ପାଇଁ ଆପକୁ କେବଳ ଗୋଟିଏ ସୁଯୋଗ ଦିଅନ୍ତୁ। ବର୍ତ୍ତମାନ ୨୭ବର୍ଷ ହୋଇଗଲାଣି। ଦୟାକରି ସେମାନଙ୍କୁ(ବିଜେପି-କଂଗ୍ରେସ) ଛାଡ଼ି ଝାଡୁ ଚିହ୍ନରେ ଭୋଟ ଦିଅନ୍ତୁ। ନିକଟରେ ହୋଇଥିବା ଏକ ସର୍ଭେରେ ସ୍ପଷ୍ଟ ଭାବେ ଜଣାପଡ଼ିଛି ଯେ ଗୁଜରାଟରେ ଆମ୍ ଆଦମୀ ପାର୍ଟି ଏକ ବୃହତ ବ୍ୟବଧାନରେ ଜିତିବ।

 

ସମ୍ବନ୍ଧିତ ଖବର