ଜୀବନ ଯୁଦ୍ଧରେ ପରାଜୟ ସ୍ୱୀକାର କରି ନାହାନ୍ତି ସରୋଜିନୀ ଆମ୍ମା; ୭୦ ବର୍ଷ ବୟସରେ ବି ରାତି ୨ଟା ୩୦ରେ ବାଜେ ତାଙ୍କ ଘଣ୍ଟାର ଆଲାର୍ମ! ଜାଣନ୍ତୁ କାହିଁକି…
କୋଚି: ନାଁ ତାଙ୍କର ସରୋଜିନୀ ଆମ୍ମା। ବୟସ ସତୁରୀ। ବୟସର କଷାଘାତ ତାଙ୍କ ଶରୀରକୁ ନୁଆଇଁ ଦେଇଛି ସିନା; କିନ୍ତୁ ତାଙ୍କର ଦୃଢ଼ ମନୋବଳକୁ ନୁଆଇଁବାରେ ସମର୍ଥ ପରିନାହିଁ। ସେଥିପାଇଁ ଏବେ ବି ସେ ସଚଳ, ଚଞ୍ଚଳ ଓ ସକ୍ରିୟ। ଯେଉଁ ବୟସରେ ସେ ତାଙ୍କର ଜନ୍ମକଲା ପିଲାମାନଙ୍କ ଉପରେ ନିର୍ଭରଶୀଳ ହୋଇଥାନ୍ତେ; ଭାଗ୍ୟର ବିଡ଼ମ୍ବନା ଯୋଗୁ ଏବେ ତାଙ୍କର ପିଲାମାନେ ତାଙ୍କ ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ତଥାପି, ଭାଙ୍ଗିପଡ଼ି ନାହାନ୍ତି ସେ।
Sambad is now on WhatsApp
Join and get latest news updates delivered to you via WhatsApp
ସରୋଜିନୀ ଆମ୍ମାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇ ସାରିଛି ଅନେକ ବର୍ଷ ପୂର୍ବରୁ। ନିଜର ଏକମାତ୍ର ପୁତ୍ର ଏକ ଭୟଙ୍କର ଦୁର୍ଘଟଣାରେ ଆହତ ହେବାପରେ ଚଳତଶକ୍ତି ହରାଇ ସଂପୂର୍ଣ୍ଣ ଅଥର୍ବ। ବସିବା ଜାଗାରୁ ଉଠିବାକୁ ମଧ୍ୟ ଶକ୍ତି ନାହିଁ। ୩୦ ବର୍ଷ ବୟସ୍କା ନାତୁଣୀ ଦିବ୍ୟାଙ୍ଗ। ଏପରିସ୍ଥିତିରେ ପରିବାରର ସବୁ ଦାୟ ଓ ଦାୟିତ୍ୱ ସରୋଜିନୀ ଆମ୍ମାଙ୍କ କାନ୍ଧରେ।
କିନ୍ତୁ, ତଥାପି ଜୀବନ ସଂଗ୍ରାମରେ ହାର ମାନି ନାହାନ୍ତି ସରୋଜିନୀ ଆମ୍ମା। ଜାରି ରଖିଛନ୍ତି ସଂଗ୍ରାମ ନିଜେ ବଞ୍ଚିବା ସହ ଦୁର୍ଭାଗ୍ୟକ୍ରମେ ତାଙ୍କ ଉପରେ ନିର୍ଭାରଶୀଳ ହୋଇପଡ଼ିଥିବା ତାଙ୍କର ଦୁଇ ଭିନ୍ନକ୍ଷମ ସନ୍ତାନଙ୍କୁ ବଞ୍ଚାଇବାକୁ।
ସରୋଜିନୀ ଆମ୍ମାଙ୍କର ଜୀବନ ସଂଗ୍ରାମର କାହାଣୀ ଯେତେ ଦୁଃଖଦାୟୀ; ତା’ଠାରୁ ଶତଗୁଣରେ ଅଧିକ ପ୍ରେରଣାଦାୟୀ।
ସରୋଜିନୀ ଆମ୍ମାଙ୍କର ଜୀବନ ସଂଗ୍ରାମର କାହାଣୀ ଏହିପରି… ପ୍ରତିଦିନ, ବର୍ଷକ ବାରମାସ, ୩୬୫ ଦିନ ଠିକ୍ ରାତି ୨ଟା ୩୦ରେ ବାଜେ ସରୋଜିନୀ ଆମ୍ମାଙ୍କର ଘଣ୍ଟାର ଆଲାର୍ମ। କିନ୍ତୁ, ସେତେବେଳକୁ ଅବଶ୍ୟ ତାଙ୍କର ନିଦ ଭାଙ୍ଗି ସାରିଥାଏ। ଖଟରୁ ଉଠି ଝଟପଟ ନିଜର ନିତ୍ୟକର୍ମ ସାରିଦେଇ ପଶିଯାଆନ୍ତି ହାଣ୍ଡିଶାଳ ଭିତରକୁ। ଆଉ ସକାଳ ୭ଟା ବେଳକୁ ସେ ୨୦ ଜଣ ଲୋକଙ୍କ ପାଇଁ ସକାଳ ଜଳଖିଆ ସହ ମଧ୍ୟାହ୍ନ ଭୋଜନ ରାନ୍ଧି ତାକୁ ଡବାରେ ପ୍ୟାକ୍ କରି ସାରିଥାନ୍ତି। ଆଉ ୭ଟା ୩୦ ସୁଦ୍ଧା ନିଜେ ସବୁ ଡବାକୁ ଧରି ୨୦ ଜଣ ଗ୍ରହକଙ୍କ ଘରେ ନେଇ ପହଞ୍ଚାଇ ଦେଇଥାନ୍ତି। ଆଉ ପୁଣି ସନ୍ଧ୍ୟାରେ ମଧ୍ୟ ଏହି ୨୦ ଜଣଙ୍କ ପାଇଁ ରାତ୍ରିଭୋଜନ ପ୍ରସ୍ତୁତ କରି ସେମାନଙ୍କ ଘରେ ନେଇ ପହଞ୍ଚାଇ ଥାଆନ୍ତି। ପୁଣି, ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ରାତ୍ରିଭୋଜନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସେ ରାନ୍ଧିଥାନ୍ତି ଅଲଗା ଅଲଗା ବ୍ୟଞ୍ଜନ। ଆଉ, ସରୋଜିନୀ ଆମ୍ମାଙ୍କ ହାତ ରାନ୍ଧଣାର ସ୍ୱାଦ ବେଶ୍ ନିଆରା। ଯିଏ ଥରେ ଖାଇଛି ସିଏ ଜାଣିଛି। ଗୋଟିଏ ମିଲ୍କୁ ଆମ୍ମା ଚାର୍ଜ କରନ୍ତି ୫୦ ଟଙ୍କା। କିନ୍ତୁ, ତାଙ୍କ ଗ୍ରାହକମାନେ ଖୁସିରେ ଦିଅନ୍ତି ଆହୁରି ଅଧିକ।
ସରୋଜିନୀ ଆମ୍ମାଙ୍କ ଗ୍ରାହକ ତାଲିକାରେ ସାମିଲ ହେବା ପାଇଁ ଲୋକଙ୍କ ଲମ୍ବା ଲାଇନ୍। କିନ୍ତୁ, ସେ କହନ୍ତି, ‘ଆଉ ଗ୍ରାହକ ବଢ଼ାଇବି ନାହିଁ। ଗ୍ରାହକ ବଢ଼ିଲେ ସମସ୍ତଙ୍କୁ ସନ୍ତୁଷ୍ଟ କରି ପାରିବି ନାହିଁ। ଏତିକି ମୋ ପାଇଁ ଯଥେଷ୍ଟ। ଏତିକିରୁ ଯେତିକି ଆୟ ହେଉଛି, ତାହା ମୋ ପରିବାର ଚଳାଇବା ପାଇଁ ଯଥେଷ୍ଟ। ଆଉ ଅଧିକ କରିବି କ’ଣ’?