ଏକସଙ୍ଗେ ନିର୍ବାଚନ: କମିସନଙ୍କ ମତ:ଏବେ ସମ୍ଭବ ନୁହେଁ

ନୂଆଦିଲ୍ଲୀ: ଦେଶବ୍ୟାପୀ ଏକସମୟରେ ନିର୍ବାଚନ ଆୟୋଜନ କରାଇବା ଲାଗି ପୁଣିଥରେ ରାଜନୈତିକ ମହଲରେ ବିତର୍କ ଆରମ୍ଭ ହୋଇଯାଇଛି। ଏକ ଦେଶ ଏକ ନିର୍ବାଚନ ସପକ୍ଷରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଗତକାଲି ଲ’ କମିଶନ୍‌ଙ୍କ ନିକଟକୁ ଚିଠି ଲେଖିବା ପରେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଓ ପି ରାଓ୍ଵତ୍‌ ଏହାକୁ ଅସମ୍ଭବ ବୋଲି ଦର୍ଶାଇଛନ୍ତି। ଆଇନରେ ସଂଶୋଧନ ନ ଆସିବା ପର୍ଯ୍ୟନ୍ତ ଗୋଟିଏ ସମୟରେ ନିର୍ବାଚନ କରିବା ଅସମ୍ଭବ ବୋଲି ସେ କହିଛନ୍ତି। ତେବେ ଯଦି ଯୋଜନାବଦ୍ଧ ଭାବେ ଚିନ୍ତା କରାଯାଏ, ତା’ହେଲେ ସାଧାରଣ ନିର୍ବାଚନ ସହିତ କିଛି ସଂଖ୍ୟକ ରାଜ୍ୟରେ ନିର୍ବାଚନ ଆୟୋଜନ କରାଯିବା ସମ୍ଭବ ହୋଇପାରେ। ତାଙ୍କ କହିବାନୁଯାୟୀ, ପୂର୍ବେ ଦେଶରେ ଗୋଟିଏ ସମୟରେ ଚାରୋଟି ନିର୍ବାଚନ ହୋଇପାରୁଥିଲା। କିନ୍ତୁ ଲୋକସଂଖ୍ୟା ବୃଦ୍ଧି ପରେ ତାହା ଆଉ ସମ୍ଭବ ହେଲାନାହିଁ। ଯଦି ଆଇନରେ ସଂଶୋଧନ ଅଣାଯାଏ, ପର୍ଯ୍ୟାପ୍ତ ମେସିନ୍‌ ଉପଲବ୍ଧ ହୁଏ ଏବଂ ଆବଶ୍ୟକ ସଂଖ୍ୟକ ସୁରକ୍ଷା କର୍ମୀ ପ୍ରଦାନ କରାଯାଏ, ତା’ହେଲେ ଦେଶବ୍ୟାପୀ ଏକକ ନିର୍ବାଚନ ସମ୍ଭବ ହୋଇପାରିବ।
ଅପରପକ୍ଷରେ ସିଇସି କହିଛନ୍ତି, ରାଜ୍ୟ ବିଧାନସଭାଗୁଡ଼ିକ ଯଦି ସହମତ ହୁଅନ୍ତି, ତେବେ ଏକ ସମୟରେ ନିର୍ବାଚନ କରାଯାଇ ପାରିବ। ଉଲ୍ଲେଖଯୋଗ୍ୟ, ଆଗାମୀ ସାଧାରଣ ନିର୍ବାଚନ ସହିତ ୧୦-୧୨ଟି ରାଜ୍ୟରେ ବିଧାନସଭା ନିର୍ବାଚନ କରାଇବା ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଜଣାପଡ଼ିଛି। ଲ’ କମିଶନ୍‌ଙ୍କ ନିକଟକୁ ଲେଖିଥିବା ଚିଠିରେ ଅମିତ୍‌ ଶାହ କହିଛନ୍ତି ଯେ ପୂର୍ବରୁ ଏକସମୟରେ ନିର୍ବାଚନ କରାଯାଇଛି ଏବଂ ଏହା ସଫଳ ମଧ୍ୟ ହୋଇଛି। ତେଣୁ ବର୍ତମାନ ମଧ୍ୟ ଏହା କାର୍ଯ୍ୟକାରୀ କରାଯାଇ ପାରିବ। କିନ୍ତୁ କଂଗ୍ରେସ ଏହାକୁ ବିରୋଧ କରି କହିଛି ଯେ ଏକସମୟରେ ନିର୍ବାଚନ କଲେ ଏହା ସଂଘୀୟ ଢାଞ୍ଚାର ବିରୋଧ ହେବ। କିନ୍ତୁ ଶାହ କହିଛନ୍ତି, ଏହାଦ୍ୱାରା ସଂଘୀୟ ଢାଞ୍ଚା ଅଧିକ ମଜଭୁତ ହୋଇପାରିବ। ତାଙ୍କ କହିବାନୁଯାୟୀ ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀ ଦଳଗୁଡ଼ିକ ଏଭଳି ନକାରାତ୍ମକ ଟିପ୍ପଣୀ ଦେଉଛନ୍ତି।

ସମ୍ବନ୍ଧିତ ଖବର