ହିମାଚଳ ପ୍ରଦେଶରେ ୧,୦୦୦ ବିଜେପି ନେତା ଆପ୍‌ରେ ଯୋଗଦେବେ: ସିସୋଦିିଆ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଅତି କମରେ ୧,୦୦୦ ସ୍ଥାନୀୟ ବିଜେପି ନେତା ଖୁବ୍‌ ଶୀଘ୍ର ଆପ୍‌ରେ ଯୋଗଦେବେ ଏବଂ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ହିମାଚଳ ପ୍ରଦେଶରେ ବିଜେପିର ବହୁ ବଡ଼ ନେତା ମଧ୍ୟ ମଧ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ‘ଆପ୍‌’ ସହ ‘ଯୋଗାଯୋଗରେ’ ଅଛନ୍ତି ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗୁରୁବାର ଦିନ କହିଛନ୍ତି।

ଦଳବଦଳ ହିମାଚଳ ପ୍ରଦେଶରେ ଶାସକ ଦଳକୁ ବିକ୍ଷିପ୍ତ କରିଦେବ ବୋଲି ଦାବି କରି ସିସୋଦିଆ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ଆମ୍‌ ଆଦମୀ ପାର୍ଟି (ଆପ୍‌) ଚଳିତ ବର୍ଷ ଶେଷ ଆଡକୁ ହିମାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ନିଜର ସରକାର ଗଢ଼ିବ।

ଗେରୁଆ ଦଳର ଅନୁସୂଚିତ ଜାତି ମୋର୍ଚ୍ଚା ମୁଖ୍ୟ ହରମେନ ଧିମାନଙ୍କ ସମେତ ତିନି ଜଣ ବିଜେପି ନେତା ସେମାନଙ୍କ ସମର୍ଥକଙ୍କ ସହ ଆପ୍‌ରେ ଯୋଗ ଦେବାର ଗୋଟିଏ ଦିନ ପରେ ସିସୋଦିଆ ଏହି ଦାବି କରିଛନ୍ତି। ଧିମାନ ଜୀ ଅନ୍ୟ ୨୦ ଜଣ ଜିଲ୍ଲା ସ୍ତରୀୟ ନେତାଙ୍କ ସହ ଦଳରେ ଯୋଗ ଦେଇଛନ୍ତି। ବର୍ତ୍ତମାନ, ବିଜେପିର ୧,୦୦୦ ଜିଲ୍ଲା ଏବଂ ବ୍ଲକ୍‌ ନେତା ଆପ୍‌ରେ ଯୋଗଦେବାକୁ ଯାଉଛନ୍ତି କାରଣ ବିଜେପି ଦଳ ଉପରେ ସେମାନଙ୍କ ଆଶା ଭାଙ୍ଗିଯାଇଛି। ସେମାନେ ଅନୁଭବ କରୁଛନ୍ତି ଯେ ବିଜେପି ଏଥିପାଇଁ କିଛି କରିବାକୁ ଯାଉନାହିଁ।

ସିସୋଦିିଆ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ କହିଛନ୍ତି ଯେ ସେମାନେ ଆଗାମୀ କିଛି ଦିନ ମଧ୍ୟରେ ଆପ୍‌ରେ ଯୋଗଦେବେ। ଆପ୍‌ର ଏହି ବରିଷ୍ଠ ନେତା କହିଛନ୍ତି ଯେ ବିଜେପିର ଅନେକ ବଡ ନେତା ମଧ୍ୟ ଆମ ସହିତ ଯୋଗାଯୋଗରେ ଅଛନ୍ତି। ବିଜେପି ବର୍ତ୍ତମାନ ରାଜ୍ୟରେ ସମ୍ପୂର୍ଣ୍ଣ ବିକ୍ଷିପ୍ତ ଓ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ସିସୋଦିଆ କହିଛନ୍ତି।

ଦଳର ରାଜ୍ୟ ୟୁନିଟ୍‌ର ଶୀର୍ଷ କାର୍ଯ୍ୟକର୍ତ୍ତା ଏବଂ ଅନ୍ୟ କିଛି ନେତାଙ୍କ ଦଳବଦଳ ପରେ ଏହା ଶୀଘ୍ର ଏହାକୁ ପୁନଃସଂଗଠିତ କରିବ ବୋଲି ଘୋଷଣା କରି ଆପ୍‌ ସୋମବାର ଏହାର ହିମାଚଳ ପ୍ରଦେଶ କାର୍ଯ୍ୟକମିଟିକୁ ଭାଙ୍ଗି ଦେଇଛି। ଏ ସ୍ଥିତିରେ ସିସୋଦିଆ କହିଛନ୍ତି ଯେ ନିର୍ବାଚନ ହେବାକୁ ଥିବା ଏହି ରାଜ୍ୟରେ ଉତ୍ସର୍ଗୀକୃତ ନେତାମାନଙ୍କୁ ଆଣି ଦଳର କାର୍ଯ୍ୟ କମିଟିକୁ ପୁନଃସଂଗଠିତ କରିବା ପାଇଁ ପ୍ରକ୍ରିୟା ଚାଲିଛି। ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ବିଜେପି ଏବଂ ଅନ୍ୟ ଦଳର ନେତାମାନେ ଏଥିରେ ଯୋଗ ଦେବା ସହିତ ଆପ୍‌ ହିମାଚଳ ପ୍ରଦେଶରେ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ଆଧାର ହାସଲ କରିଛି।

ସମ୍ବନ୍ଧିତ ଖବର