ସ୍ପିନ ବୋଲଡାକରେ ମୋର୍ଟାର ମାଡ: ୪ ମୃତ, ୨୦ ଆହତ

ସୀମାକୁ ନେଇ ପାକିସ୍ତାନ – ଆଫଗାନିସ୍ତାନ ସେନା ମଧ୍ୟରେ ସଂଘର୍ଷ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଓ ପାକିସ୍ତାନ ସୀମା ଡୁରାଣ୍ଡ ଲାଇନ ନିକଟରେ ଥିବା ସ୍ପିନ ବୋଲଡାକ ଅଞ୍ଚଳକୁ ନେଇ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ସ୍ପିନ ବୋଲଡାକ ଗେଟ ନିକଟ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ରବିବାର ଅପରାହ୍ନରେ ମୋର୍ଟାର ମାଡ ହେବାରୁ ୪ଜଣଙ୍କ ଜୀବନ ଯାଇଛି। ଏଥି ସହିତ ୨୦ ଜଣ ଗୁରୁତର ହୋଇଥିବା ଟୋଲ ନ୍ୟୁଜ ପ୍ରକାଶ କରିଛି। ଗୁରୁତରମାନଙ୍କୁ ଡୁରାଣ୍ଡ ଲାଇନ ନିକଟ ଚମନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସ୍ପିନ ବୋଲଡାକ ଅଞ୍ଚଳର ସୁରକ୍ଷା ଦାୟିତ୍ବରେ ଥିବା କମାଣ୍ଡାର ମାୱଲାୱି ମହମ୍ମଦ ହାସିମ କହିଛନ୍ତି ଯେ, ସ୍ପିନ ବୋଲଡାକ ଦୁଇଦେଶର ସୀମାରେ ରହିଛି। ଦୁଇଦେଶ ମଧ୍ୟରେ ବାଣିଜ୍ୟିକ କାରବାର ପାଇଁ ଏଠାରେ ଏକ ବନ୍ଧୁତ୍ବପୂର୍ଣ୍ଣ ଗେଟ ରହିଛି। ଦୀର୍ଘଦିନ ହେଲା ଏହି ସୀମାକୁ ନେଇ ବିବାଦ ଲାଗି ରହିଛି। ଆଫଗାନିସ୍ତାନର ତାଲିବାନ ସେନା ଓ ପାକିସ୍ତାନ ସେନା ମଧ୍ୟରେ ଏହାକୁ ନେଇ ସଂଘର୍ଷ ଜାରି ରହିଛି। ଏହି ଅଞ୍ଚଳକୁ ନେଇ ଉଭୟ ଦେଶ ନିଜର ବୋଲି ଦାବି କରିବା ଏହାର କାରଣ ହୋଇଛି। ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଥିବା ତୋରଖାମ ବୋର୍ଡରଠାରୁ ଉପରୋକ୍ତ ସୀମା ସବୁବେଳେ ବ୍ୟସ୍ତବହୁଳ ରହୁଛି। ତେଣୁ ଦୁଇଦେଶର ସେନା ପକ୍ଷରୁ ଏହି ସୀମା ଉପରେ କଡା ନଜର ରଖାଯାଇଛି।

ସମ୍ବନ୍ଧିତ ଖବର