ସଚିବ ସ୍ତରରେ ବଡ଼ ଧରଣର ଅଦଳବଦଳ, ଅତନୁ ନୂଆ ଅର୍ଥନୈତିକ ବ୍ୟାପାର ସଚିବ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସଚିବ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଅର୍ଥନୈତିକ ବ୍ୟାପାର ବିଭାଗର ନୂତନ ସଚିବ ଭାବେ ଅତନୁ ଚକ୍ରବର୍ତୀଙ୍କୁ ଦାୟିତ୍ବ ଦିଆଯାଇଛି। ଏହି ସ୍ଥାନରେ ପୂର୍ବରୁ କାର୍ଯ୍ୟ କରୁଥିବା ସୁଭାଷ ଚନ୍ଦ୍ର ଗର୍ଗଙ୍କୁ ଶକ୍ତି ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଛି।

ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ତରଫରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଅଜୟ କୁମାର ଭଲ୍ଲାଙ୍କୁ ଗୃହ ବିଭାଗର ଓଏସ୍‌ଡି (ସ୍ବତନ୍ତ୍ର ଦାୟିତ୍ବରେ ଅଧିକାରୀ) ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଗୁରୁ ପ୍ରସାଦ ମହାପାତ୍ରଙ୍କୁ ଶିଳ୍ପ ବିକାଶ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗର ନୂଆ ସଚିବ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ଟେଲିକମ୍ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିବା ଅରୁଣା ସୁନ୍ଦରରାଜନ ଚଳିତ ମାସ ୩୧ରେ ଅବସର ଗ୍ରହଣ କରିବେ। ତାଙ୍କ ସ୍ଥାନରେ ଅଂଶୁ ପ୍ରକାଶଙ୍କୁ ନିଯୁକ୍ତ କରାଯାଇଛି। ସରକାରୀ ଭାଷା ବିଭାଗର ସଚିବ ଭାବେ ଅନୁରାଧା ମିତ୍ରଙ୍କୁ ଦାୟିତ୍ବ ଦିଆଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ନୂଆ ସଚିବ ଭାବେ ଆର ଏସ୍‌ ସୁକା, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷର ସଚିବ ଭା‌ବେ ଜିଭି ବେଣୁଗୋପାଳ ଶର୍ମା, ବୟନ ମନ୍ତ୍ରଣାରେ ରବି କପୁର ଓ ଫାର୍ମା ବିଭାଗରେ ପି ଡି ବାଘେଲାଙ୍କୁ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଅତୁଲ ଚର୍ତୁବେଦୀଙ୍କୁ ପଶୁ ସମ୍ପଦ ଓ ଦୁଗ୍ଧ ଚାଷ ବିଭାଗର ସଚିବ କରାଯାଇଛି। ପୁଞ୍ଜି ପ୍ରତ୍ୟାହାର ଓ ସରକାରୀ ସମ୍ପତ୍ତି ପରିଚାଳନା (ଦୀପମ୍) ବିଭାଗର ସଚିବ ଭାବେ ଅନିଲ କୁମାର ଖାଚିଙ୍କୁ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର