ଲଣ୍ଡନରେ ପାକ୍‌ ଗୋଷ୍ଠୀର ଆତଙ୍କରାଜ : ଭାରତୀୟ ହାଇକମିସନରଙ୍କ କାର୍ଯ୍ୟାଳୟରେ ଆକ୍ରମଣ

ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ବ୍ୟାପକ ଭଙ୍ଗାରୁଜା, ଖଲିସ୍ତାନୀ ଆନ୍ଦୋଳନକାରୀ ସାମିଲ, ବ୍ରିଟେନ୍‌ ସରକାରଙ୍କ ନିନ୍ଦା

ଲଣ୍ଡନ୍‌ : ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଲଣ୍ଡନ୍‌ ସ୍ଥିତ ଭାରତୀୟ ହାଇ କମିସନରଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି। ଗତକାଲି ଏକ ପାକିସ୍ତାନୀ ଗୋଷ୍ଠୀ ହାଇକମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଚାନକ ଏହାର ପରିସରକୁ ଧସେଇ ପଶି ଭଙ୍ଗାରୁଜା କରିଥିଲେ। ବିକ୍ଷୋଭକାରୀମାନେ ଭାରତ ବିରୋଧୀ ସ୍ଲୋଗାନ ଦେଇ ଏବଂ ପ୍ଲାକାର୍ଡ ଧରି ହାଇ କମିସନରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ। ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ବିକ୍ଷୋଭକାରୀ ହାଇ କମିସନରଙ୍କ ଅଫିସ୍‌ରେ ଧସେଇ ପସିଥିଲେ ଏବଂ ସେଠାରେ ଭଙ୍ଗାରୁଜା କରିଥିବା ରିପୋର୍ଟ ମିଳିଛି। ଏହି ମାମଲାରେ ୨ ଜଣଙ୍କୁ ଲଣ୍ଡନ୍‌ ପୁଲିସ ଗିରଫ କରିଛି। ବିକ୍ଷୋଭକାରୀଙ୍କ ମଧ୍ୟରୁ ଅଧିକାଂଶ ଖଲିସ୍ତାନ ସମର୍ଥକ ଥିବା ଜଣାପଡ଼ିଛି। ଗତ ଅଗଷ୍ଟ ୧୫ ତାରିଖରେ ମଧ୍ୟ ଭାରତୀୟ ହାଇ କମିସନରଙ୍କ କାର୍ଯ୍ୟାଳୟ ବାହାରେ ଉଗ୍ର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ବ୍ରିଟେନ୍‌ ସରକାର ଆଜି ଏହି ଘଟଣାର ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ବ୍ରିଟିସ୍‌ ବିଦେଶ ସଚିବ ଡୋମିନିକ୍‌ ରାବ୍‌ କହିଛନ୍ତି ଯେ ବ୍ରିଟିଶ୍‌ ଭାରତୀୟଙ୍କ ବିରୋଧରେ ଏଭଳି ହିଂସା ଅତ୍ୟନ୍ତ ନିନ୍ଦନୀୟ। ଦେଶର କୌଣସି ସ୍ଥାନରେ ବି ଏଭଳି ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ବିଦେଶ ସଚିବ ଆଜି ବ୍ରିଟେନ୍‌ ସଂସଦରେ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର