ଅଗ‌ଷ୍ଟ ୩୧ ‘ରେଡ୍‌ ଲାଇନ୍‌’: କାବୁଲ ଛାଡ଼ିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ

ବିଭିନ୍ନ ରାଷ୍ଟ୍ର ଉଦ୍ଧାର ପ୍ରକ୍ରିୟା ତ୍ବରାନ୍ବିତ କଲେ

ନୂଆଦିଲ୍ଲୀ: ଆମେରିକା ଓ ଅନ୍ୟ ବିଦେଶୀ ସେନା କାବୁଲ ଛାଡ଼ିବା ପାଇଁ ଅଗଷ୍ଟ ୩୧ ତାରିଖ ହିଁ ଶେଷ ଦିନ ବୋଲି ତାଲିବାନ ପୁଣି ଥରେ ଚେତାଇ ଦେଇଛି। ଅଗଷ୍ଟ ୩୧କୁ ‘ରେଡ୍‌ ଲାଇନ୍‌’ ଭାବେ ଆମେରିକା ଗ୍ରହଣ କରିବା ଉଚିତ ବୋଲି ତାଲିବାନ ପ୍ରବକ୍ତା ଧମକାଇବା ପରେ ଏବେ କାବୁଲରୁ ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ତେବେ କୌଣସି ଆଫଗାନ ନାଗରିକ ଦେଶ ଛାଡ଼ିପାରିବେ ନାହିଁ ଏବଂ ସେମାନଙ୍କୁ କଠୋର ଯାଞ୍ଚ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆଜି ତାଲିବାନ କହିଛି। ବିମାନବନ୍ଦର ରାସ୍ତାରେ ତାଲିବାନ ବାହିନୀ ରାସ୍ତାରୋକ କରି ଲୋକଙ୍କୁ ଅଟକାଉଛନ୍ତି ଏବଂ ନାଗରିକମାନଙ୍କୁ ଫେରିଯିବାକୁ ବାଧ୍ୟ କରୁଛନ୍ତି। ଆମେରିକା ରାଷ୍ଟ୍ରପତି ‌ଜୋ ବାଇଡେନ୍‌ କହିଛନ୍ତି ଯେ, ଆସନ୍ତା ସପ୍ତାହ ଶେଷ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହେବ ଏବଂ ଅଗଷ୍ଟ ୩୧କୁ ହିଁ ଏଥିପାଇଁ ଚୂଡ଼ାନ୍ତ ଦିବସ ଭାବେ ଧରାଯିବ। ବାଇଡେନ୍‌ଙ୍କ ଏହି ଘୋଷଣା ପରେ ଆଫଗାନ ନାଗରିକମାନେ ପ୍ରାଣ ବିକଳରେ ଦେଶ ଛାଡ଼ିଦେବାପାଇଁ ଉଦ୍ୟମ କରୁଛନ୍ତି। ସେମାନେ ଜୀବନକୁ ବାଜି ଲଗାଇ କାବୁଲ ବିମାନ ବନ୍ଦରରେ ପ୍ରବେଶ କରିବାକୁ ଚାହୁଛନ୍ତି। ଏଭଳି ସ୍ଥିତିରେ ବ୍ରିଟେନ୍‌, ଫ୍ରାନ୍ସ, ଜର୍ମାନୀ ଆଦି ରାଷ୍ଟ୍ରଗୁଡ଼ିକ ମଧ୍ୟ ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ତ୍ବରାନ୍ବିତ କରିଛନ୍ତି। ଦେଶ ଛା‌ଡ଼ିବାପାଇଁ କାବୁଲ ବିମାନବନ୍ଦରରେ ଆଫଗାନ ନାଗରିକଙ୍କ ଭିଡ଼ ଏବଂ ଏଥିଯୋଗୁଁ ଉପୁଜିଥିବା ଅଣାୟତ୍ତ ସ୍ଥିତି ଏବେ ଚିନ୍ତା ବଢ଼ାଇଛି।

ଅଗଷ୍ଟ ୧୪ ପରଠାରୁ ୮୦ ହଜାରରୁ ଅଧିକ ଲୋକଙ୍କୁ ଆଫଗାନିସ୍ତାନରୁ ଖାଲି କରାଗଲାଣି। କିନ୍ତୁ କାବୁଲ ବିମାନବନ୍ଦର ବାହାରେ ଏବେ ବି ଜଟିଳ ସ୍ଥିତି ଲାଗି ରହିଛି। ତାଲିବାନ ଶାସିତ ଆଫଗାନିସ୍ତାନରୁ ବର୍ତ୍ତିବାପାଇଁ ଆଫଗାନ ନାଗରିକ ଦେଶ ଛାଡ଼ିବାକୁ ଆକୁଳ ନିବେଦନ କରୁଛନ୍ତି। ଆମେରିକା ପ୍ରତିଦିନ ହଜାର ହଜାର ଲୋକଙ୍କୁ ଆଫଗାନିସ୍ତାନରୁ ଖାଲି କରୁଛି। ତାଲିବାନ ଶାସନର ବର୍ବରତାରୁ ବର୍ତ୍ତିବା ପାଇଁ ଲୋକେ ସବୁ କିଛି ଛାଡ଼ି ଅନ୍ୟତ୍ର ପଳାଇବାକୁ ଚାହୁଛନ୍ତି। ତାଲିବାନ ମହିଳାମାନଙ୍କ ଶିକ୍ଷା ଏବଂ ନିଯୁକ୍ତିକୁ ନିଷିଦ୍ଧ କରିବା ପ୍ରକ୍ରିୟା ଆରମ୍ଭ କରିଦେବା ସହ ସାରିଆ ଆଇନର ଉଲ୍ଲଂଘନ କ୍ଷେତ୍ରରେ ଭୟଙ୍କର ନିର୍ଯାତନା ଦେଉଥିବାରୁ ଅଧିକାଂଶ ମହିଳା ତାଲିବାନ ଶାସନରେ ରହିବାକୁ ଚାହୁନାହାନ୍ତି। କାବୁଲ ବିମାନବନ୍ଦର ବିଭିନ୍ନ ଗେଟ୍‌ରେ ହଜାର ହଜାର ଲୋକ ରୁଣ୍ଡ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଟାର୍ଗେଟ୍‌ କରି ତାଲିବାନ ଆତଙ୍କବାଦୀ ଉଠାଇ ନେଉଛନ୍ତି। ବିମାନବନ୍ଦର ନିକଟରେ ଅସ୍ଥାୟୀ ଶିବିର ମଧ୍ୟ ନିର୍ମାଣ ହୋଇଛି। ଆଗାମୀ ଦିନରେ ଦେଶରେ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ ଏବଂ ଖାଦ୍ୟ ନିରାପତ୍ତା ବି ରହିବ ନାହିଁ। ତାଲିବାନ ଏବେଠାରୁ କେତେକ ଅଞ୍ଚଳକୁ ଖାଦ୍ୟ ଯୋଗାଣ ବନ୍ଦ କରିଦେଲାଣି। ଆଫଗାନିସ୍ତାନକୁ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ଏବେ ପାଣ୍ଠି ଯୋଗାଣ ବନ୍ଦ କରିଥିବା ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର