ପୁଣି ଡରାଇଲା କରୋନା: ଦୈନିକ ସଂକ୍ରମଣରେ ୪୭% ବୃଦ୍ଧି, ୧୧ ଦିନ ପ‌ରେ ସର୍ବାଧିକ ସଂକ୍ରମଣ

କେରଳରେ ବିସ୍ଫୋରକ ସ୍ଥିତି ଟେଷ୍ଟ୍‌ ପଜିଟିଭ୍‌ ହାର ୧୯%

ନୂଆଦିଲ୍ଲୀ: ପୁଣି ଡରାଇଲାଣି କେରାନା। ଦ୍ବିତୀୟ ଲହର ନସରୁଣୁ ତୃତୀୟ ଲହର ନେଇ ଅାଶଙ୍କା ପ୍ରକାଶ ପାଇଲାଣି। ଠିକ୍ ଏହି ସମୟରେ ଦେଶରେ ସଂକ୍ରମଣ ହାର ପୁଣି ବଢ଼ୁଥିବାରୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଦୈନିକ ସଂକ୍ରମଣରେ ୪୭.୬ ପ୍ରତିଶତ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩୭,୫୯୩ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୬୪୮ ଜଣଙ୍କ କରୋନା‌ରେ ମୃତ୍ୟୁ ହୋଇଛି। ୧୧ ଦିନ‌ରେ ଏହା ସର୍ବାଧିକ ସଂକ୍ରମଣ। ଏଥିସହ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩୨,୫୧୨,୩୬୬ କୁ ବୃଦ୍ଧି ପାଇଛି ଏବଂ କରୋନା ମୃତ୍ୟୁସଂଖ୍ୟା ୪,୩୫, ୭୫୮ରେ ପହଞ୍ଚିଛି। ‌ଦେଶର ସକ୍ରିୟ ମାମଲା ଏବେ ୩,୨୨,୩୨୭। ସକ୍ରିୟ ମାମଲା ୧ ପ୍ରତିଶତରୁ କମ୍‌ ରହିଛି। ଦେଶରେ ଦୈନିକ ପଜିଟିଭ୍‌ ହାର ଏବେ ୧.୯୨ ପ୍ରତିଶତ ଥିବା ବେଳେ ସାପ୍ତାହିକ ପଜିଟିଭ୍‌ ହାର ୨.୧୦ ପ୍ରତିଶତ ରହିଛି। ଆରୋଗ୍ୟ ହାର ୯୭.୬୭ ପ୍ରତିଶତକୁ ବୃଦ୍ଧି ପାଇଛି।

ଏଭଳି ସଂକ୍ରମଣ ହାର ବୃଦ୍ଧି ପଛରେ ରହିଛି କେରଳ। କେରଳରେ ବିସ୍ଫୋରକ ସ୍ଥିତି ଉପୁଜିଛି। ଗତ ୨୪ ଘଣ୍ଟାରେ ସଂକ୍ରମଣ ମାମଲାରେ ୩୧ ପ୍ରତିଶତ ବୃଦ୍ଧି ହୋଇଛି। କେରଳରେ ଗତ ୨୪ ଘଣ୍ଟା‌ରେ ୩୧,୪୪୫ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୨୧୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ୍‌ ସଂକ୍ରମଣ ମାମଲା ୩୮,୮୩,୪୨୯ରେ ପହଞ୍ଚିଛି ଏବଂ ମୋଟ୍‌ କରୋନା ମୃତ୍ୟୁସଂଖ୍ୟା ୧୯,୯୭୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଟେଷ୍ଟ୍‌ ପଜିଟିଭ୍‌ ହାର ୧୯.୦୩ ପ୍ରତିଶତ ରହିବା ସବୁଠାରୁ ଚିନ୍ତାଜନକ ହୋଇଛି।   େରଳ ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ‌୍ ଆଗାମୀ ୪ ସପ୍ତାହ ପର୍ଯ୍ୟନ୍ତ ସମସ୍ତ ସତର୍କ ରହିବା ପାଇଁ ଗତକାଲି କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୨୧ରେ କେରଳରେ ଓନମ୍‌ ପାଳନ କରାଯାଇଥିଲା। ଓନମ ପରେ ସଂକ୍ରମଣ ବଢ଼ିଛି। କେରଳର ଉଦାହରଣ ଦର୍ଶାଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ଅନ୍ୟ ରାଜ୍ୟମାନଙ୍କୁ ସତର୍କ କରାଇଛନ୍ତି। ଆଗାମୀ ପାର୍ବଣ ଋତୁ ପାଇଁ ରାଜ୍ୟମାନଙ୍କୁ ସତର୍କ କରିଛନ୍ତି ଭୂଷଣ। ସଂକ୍ରମଣ ରୋକିବାପାଇଁ ରାଜ୍ୟମାନେ ଆଗୁଆ ପଦ‌କ୍ଷେପ ଗ୍ରହଣ କରିବାପାଇଁ ଭୂଷଣ କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ନେତା ଭି ମୁରଲିଧରନ ଆଜି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ କଡ଼ା ସମାଲୋଚନା କରିଛନ୍ତି। କେରଳରେ ଏଭଳି ବିପଜନ୍ନକ ସ୍ଥିତି ପାଇଁ ସେ ବିଜୟନଙ୍କୁ ଦାୟୀ କରିଛନ୍ତି। କେରଳରେ ଗତକାଲି ୨୪,୨୯୬ ମାମଲା ଚିହ୍ନଟ ହୋଇଥିଲା ଏବଂ ୧୭୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା।
ଇତିମଧ୍ୟରେ ଦେଶରେ ଟିକାକରଣ ୬୦ କୋଟି ଟପିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡାଭିୟା ଆଜି ଏକ ଟ୍ବିଟ୍‌ କରି ଏହା କହିଛନ୍ତି। ଦେଶରେ ଟିକାକରଣ ୧ରୁ ୧୦ କୋଟିରେ ପହଞ୍ଚିବାପାଇଁ ୮୫ ଦିନ ଲାଗିଥିଲା। ୧୦ କୋଟିରୁ ୨୦ କୋଟି ପହଞ୍ଚିବାପାଇଁ ୪୫ ଦିନ ଏବଂ ୨୦ କୋଟିରୁ ୩୦ କୋଟି ପହଞ୍ଚିବାପାଇଁ ୨୯ ଦିନ ଲାଗିଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର