ଘରୋଇ ସଂସ୍ଥା ହାତରେ ଟେକିଦେବାକୁ ଯୋଜନା: ତାଲିକାରେ ଭୁବନେଶ୍ବର ବିମାନବନ୍ଦର, ପାରାଦୀପ ବନ୍ଦର, ଏନ୍ଏଚ୍

ଭୁବନେଶ୍ବର: କେନ୍ଦ୍ର ସରକାର ଘୋଷଣା କରିଥିବା ଜାତୀୟ ମନେଟାଇଜେସନ୍ ପ୍ଲାନ୍ ତାଲିକାରେ ଓଡ଼ିଶାରେ ଏକାଧିକ ମୂଲ୍ୟବାନ ସମ୍ପତ୍ତି ରହିଛି। ଭୁବନେଶ୍ବର ବିମାନ ବନ୍ଦର, ପାରାଦୀପ ବନ୍ଦର ଓ ୬ଟି ଜାତୀୟ ରାଜପଥ (ଏନ୍‌ଏଚ୍‌) ପ୍ରକଳ୍ପର ନାମ ଏହି ତାଲିକାରେ ରହିଛି। ଜାତୀୟ ମନେଟା‌ଇଜେସନ୍ ପାଇପ୍‌ଲାଇନ୍ ଜରିଆରେ କେନ୍ଦ୍ର ସରକାର ଚାରି ବର୍ଷରେ ୬ ଲକ୍ଷ କୋଟି ଟଙ୍କା ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟ ହାସଲ କରିବା ଲାଗି ଓଡ଼ିଶାର ଅନେକ ଗୁରୁତ୍ବପୂର୍ଣ୍ଣ ସମ୍ପତ୍ତିକୁ ମନେଟାଇଜ୍ କରାଯିବ।

ନିତି ଆୟୋଗ ୱେବସାଇଟ୍‌ରେ ଅପ୍‌ଲୋଡ୍ କରାଯାଇଥିବା ତାଲିକାରୁ ଜଣାପଡ଼ିଛି ଯେ ଭୁବନେଶ୍ବର ବିମାନ ବନ୍ଦରକୁ ମନେଟାଇଜନ୍ କରି ସେଥିରୁ ୯୦୦ କୋଟି ଟଙ୍କା ହାସଲ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏବେ ଭୁବନେଶ୍ବର ବିମାନ ବନ୍ଦରକୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ପରିଚାଳନା କରୁଛନ୍ତି। ଏହା ଓଡ଼ିଶାକୁ ଦେଶବିଦେଶର ବିଭିନ୍ନ ପ୍ରମୁଖ ସ୍ଥାନକୁ ଆକାଶ ମାର୍ଗରେ ଯୋଡ଼ୁଛି। ବିମାନ ଯାତ୍ରୀ ପରିବହନ କ୍ଷେତ୍ରରେ ଏହି ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରମୁଖ ଭୂମିକା ନିର୍ବାହ କରୁଛି।
ପାରାଦୀପ ବନ୍ଦରର ଚାରିଟି ପ୍ରକଳ୍ପକୁ ମନେଟାଇଜ କରାଯିବାର ଯୋଜନା ରହିଛି। ଦୁଇଟି ପ୍ରକଳ୍ପକୁ ୨୦୨୧-୨୨ ଓ ବଳକା ଦୁଇଟି ପ୍ରକଳ୍ପକୁ ୨୦୨୪-୨୫ରେ ମନେଟାଇଜ୍ କରାଯିବ। ୨୦୨୨ ଜାନୁଆରି ସୁଦ୍ଧା ପାରାଦୀପ ବନ୍ଦରର ବୃହତ ଆକାର ଜାହାଜ ପରିଚାଳନା ଲାଗି ୱେଷ୍ଟ୍‌ ଡକ୍ କ୍ୟାପ୍‌ଟିଭ୍ ବର୍ଥର ବିକାଶ କାର୍ଯ୍ୟର ବରାଦ ଦିଆଯିବ। ଏଥିରେ ୩୦୦୫ କୋଟି ଟଙ୍କା ନିବେଶ ହେବ ବୋଲି ଆକଳନ କରାଯାଇଛି। ୨୦୨୪ ସେ‌ପ୍ଟେମ୍ବର ସୁଦ୍ଧା ୧୧୦୩ କୋଟି ଟଙ୍କା ବିନିଯୋଗ ହେବାକୁ ଥିବା ସିକ୍ୟୁ୧ ଓ ସିକ୍ୟୁ୨ ବର୍ଥର ଯାନ୍ତ୍ରିକୀକରଣ କାର୍ଯ୍ୟ ବରାଦ ପ୍ରଦାନ କରାଯିବ। ୨୦୨୪-୨୫ ଆର୍ଥିକ ବର୍ଷ‌ରେ ସିକ୍ୟୁବି ବର୍ଥର ଯାନ୍ତ୍ରିକୀକରଣ କାର୍ଯ୍ୟ ବରାଦ ପ୍ରଦାନ କରାଯିବ। ଏଥିରେ ୭୫ କୋଟି ଟଙ୍କା ନିବେଶ ହେବ ବୋଲି ଆକଳନ କରାଯାଇଛି। ପାରାଦୀପ ବନ୍ଦର ଏବେ ପାରାଦୀପ ପୋର୍ଟ ଟ୍ରଷ୍ଟ (ପିପିଟି) ଅଧୀନରେ ପରିଚାଳିତ ହେଉଛି। ସମୁଦ୍ର ପଥ ଦେଇ ମାଲ୍ ପରିବହନ କରିବାରେ ଏହା ଦେଶର ଏକ ଆଗଧାଡ଼ିର ବନ୍ଦର ହୋଇ ରହିଛି।

ମନେଟାଇଜ୍ ହେବାକୁ ଥିବା ରାଜ୍ୟର ସଡ଼କ ପ୍ରକଳ୍ପଗୁଡ଼ିକ ହେଉଛି ପୁଇଁତୋଳା-ସୁନାଖଳା (୫୮ କିମି), ସୁନାଖଳା-ଭୁବନେଶ୍ବର (୭୬ କିମି), ଭୁବନେଶ୍ବର-ପୁରୀ (୫୯ କିମି), ଚଣ୍ଡିଖୋଲ-ଭଦ୍ରକ (୭୫ କିମି), ଭଦ୍ରକ-ବାଲେଶ୍ବର (୬୩ କିମି) ଓ ଚଣ୍ଡିଖୋଲ-ପାରାଦୀପ (୭୭ କିମି)। ସେହିପରି, ଆତିଥେୟତା କ୍ଷେତ୍ରର କଂପାନି ଭାବେ ଏହି ତାଲିକାରେ ଭୁବନେଶ୍ବରରେ ଥିବା ହୋଟେଲ୍ କଳିଙ୍ଗ ଅଶୋକର ନାମ ରହିଛି। ଏହି ହୋଟେଲ୍‌ କଳ୍ପନା ଛକ ଭଳି ସହରର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ରହିଥିବାରୁ ନିଶ୍ଚିତ ପକ୍ଷେ ଘରୋଇ ନିବେଶକମାନଙ୍କୁ ଏହା ଆକୃଷ୍ଟ କରିବ ବୋଲି କୁହାଯାଉଛି। ୧୯୮୦ରେ ସ୍ଥାପିତ ହୋଇଥିବା ଏହି ହୋଟେଲ୍‌ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ(ଆଇଟିଡିସି) ଅଧୀନରେ ଏବେ ପରିଚାଳିତ ହେଉଛି। ହୋଟେଲ୍‌ କଳିଙ୍ଗ ଅଶୋକରେ ୨୬ଟି କୋଠରି ରହିଛି। ୨୦୧୩ରେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ଏହି ହୋଟେଲ୍‌ରେ ଥିବା ନିଜ ଅଂଶଧନକୁ ୪୯%ରୁ ୧୧%କୁ ହ୍ରାସ କରିଥିଲା ଓ ଆଇଟିଡିସି ଏହାର ଅଂଶଧନକୁ ୮୯% ପର୍ଯ୍ୟନ୍ତ ବଢ଼ାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ଦେଶରେ ଥିବା ଗୁରୁତ୍ବପୂର୍ଣ୍ଣ ସଡ଼କ, ରେଳ, ବିଦ୍ୟୁତ, ଗ୍ୟାସ୍‌ ପାଇପ୍‌ଲାଇନ୍, ଟେଲିକମ୍, ଗୋଦାମ, ଖଣି, ବିମାନ ଚଳାଚଳ, ବନ୍ଦର, ସହରାଞ୍ଚଳରେ ଥିବା କୋଠା ବା ଜମି ଏବଂ ଷ୍ଟାଡିୟମ୍ ଆଦିକୁ ମନେଟାଇଜ୍ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ସେଥିପାଇଁ ସମ୍ପତ୍ତିଗୁଡ଼ିକର ତାଲିକା ନିତି ଆୟୋଗ ଜାରି କରିଛି। ଏଥିରେ କେନ୍ଦ୍ରର ୧୨ଟି ମନ୍ତ୍ରଣାଳୟ ଅଧୀନରେ ଥିବା ୨୦ରୁ ଅଧିକ ପ୍ରକାର ସମ୍ପତ୍ତିକୁ ସାମିଲ କରାଯାଇଛି। ଏହି ଯୋଜନାରେ ସଡ଼କ, ‌ରେଳ ଓ ବିଦ୍ୟୁତ ଶକ୍ତି କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦିଆଯାଇଛି। ‌ସରକାରଙ୍କ ଏହି ଯୋଜନାକୁ ବିରୋଧୀ ଦଳ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଗତକାଲି କଡ଼ା ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର