ଅଷ୍ଟ୍ରେଲିଆରେ ନିଷିଦ୍ଧ ହେବ ସ୍ବସ୍ତିକ ଚିହ୍ନ !

ସିଡନି : ଅଷ୍ଟ୍ରେଲିଆରେ ସ୍ବସ୍ତିକ ଚିହ୍ନ ପ୍ରଦର୍ଶନ କରିବା, ପକାତା ଉଡ଼ାଇବା ସଂପୂର୍ଣ୍ଣ ନିଷିଦ୍ଧ ହେବ । ଏହାକୁ ହିଟଲରଙ୍କ ନାଜି ପ୍ରତୀକ ସହ ଯୋଡ଼ା ଯାଉଥିବାରୁ ଅଷ୍ଟ୍ରେଲିଆର ବିଭିନ୍ନ ରାଜ୍ୟରେ ଏହା ନିଷିଦ୍ଧ ହେବାକୁ ଯାଉଛି ।

ମଙ୍ଗଳବାରଦିନ ଅଷ୍ଟ୍ରେଲିଆର ନ୍ୟୁ ସାଉଥ ଓ୍ବେଲସ ପାର୍ଲିଆମେଣ୍ଟର ନିମ୍ନ ସଦନରେ ନାଜି ପ୍ରତୀକ ପ୍ରଦର୍ଶନକୁ ଅପରାଧ ମାନ୍ୟତା ଦେଉଥିବା ଏକ ବିଲ୍  ଗୃହୀତ ହୋଇଛି । ତେବେ ଆଇନରେ ପରିଣତ ହେବା ପୂର୍ବରୁ ଏହାକୁ ଉଚ୍ଚ ସଦନରେ ଆଗତ କରାଯିବ ।

ଗତ ଜୁନ ମାସରେ, ଅଷ୍ଟ୍ରେଲିଆର ୨ୟ ବୃହତ୍ତମ ଜନବହୁଳ ରାଜ୍ୟ ଭିକ୍ଟୋରିଆରେ ଏ ସଂପର୍କିତ ଏକ ଆଇନ ଗୃହୀତ ହୋଇଥିଲା । ପୂର୍ବରୁ କ୍ବିନ୍ସଲାଣ୍ଡ ଓ ଟାସମାନିଆରେ ମଧ୍ୟ ସମାନ ପ୍ରକାରର ଆଇନ ପ୍ରଣୟନ ହୋଇଥିଲା । ଫଳରେ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ୮ ରାଜ୍ୟ ମଧ୍ୟରୁ ୪ଟିରେ ଏହି ଆଇନ ପ୍ରଣୟନ ହୋଇସାରିଛି ଅଥବା ପ୍ରଣୟନ ହେବାକୁ ଯାଉଛି ।

ଏହି ଆଇନ ଅନୁସାରେ ସର୍ବସାଧାରଣରେ ସ୍ବସ୍ତିକ ଚିହ୍ନ ପ୍ରଦର୍ଶନ କରିବା, ପକାତା ଉଡ଼ାଇବା ସଂପୂର୍ଣ୍ଣ ନିଷିଦ୍ଧ ହେବ । ଏହି ଆଇନର ଉଲ୍ଲଙ୍ଘନ କଲେ ୧୨ ମାସ ଜେଲ କିମ୍ବା ୧୧ ହଜାର ଅଷ୍ଟ୍ରେଲୀୟ ଡଲାର ଜରିମାନା ଆଦାୟ ହେବ ।

ତେବେ ଏହି ଆଇନରେ କେତେକ ସଂପ୍ରଦାୟ ପାଇଁ କିଛିଟା କୋହଳ କରାଯାଇଛି । ହିନ୍ଦୁ, ଜୈନ ଓ ବୁଦ୍ଧ ଧର୍ମରେ ସ୍ବସ୍ତିକକୁ ପବିତ୍ର ମନେ କରାଯାଉଥିବାରୁ, ଏହି ଧର୍ମର ଲୋକେ ଧାର୍ମିକ ଓ ଶିକ୍ଷାଗତ କାରଣ ପାଇଁ ଏହାକୁ ବ୍ୟବହାର କରିବାକୁ ଏହି ଆଇନରେ ଅନୁମତି ରହିଛି ।

ଭାରତୀୟ ଓ ନାଜି ସ୍ବସ୍ତିକ ମଧ୍ୟରେ ଫରକ କଣ ?

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ସ୍ବସ୍ତିକ ଓ ହିଟଲରଙ୍କ ନାଜି ସ୍ବସ୍ତିକ ମଧ୍ୟରେ ଫରକ ରହିଛି । ଭାରତୀୟ ସ୍ବସ୍ତିକ ସଳଖ ହୋଇଥିବାବେଳେ ତାମଧ୍ୟରେ ବିନ୍ଦୁ ରହିଥାଏ, କିନ୍ତୁ ନାଜି ସ୍ବସ୍ତିକ ଟିକିଏ ବଙ୍କା ଥାଏ ।

ସମ୍ବନ୍ଧିତ ଖବର