ଅଯୋଧ୍ୟା ମାମଲା : ଧାର୍ମିକ ବିବାଦକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମ୍‌ କୋର୍ଟ

କୌଣସି ରାଷ୍ଟ୍ରରେ ଧର୍ମସ୍ଥଳକୁ ନେଇ ଏଭଳି ବିବାଦ ଅଦାଲତକୁ ଆସିଛି କି?, ନିର୍ମୋହୀ ଆଖଡ଼ାକୁ ଜମିର ଦସ୍ତାବିଜ ମାଗିଲେ

ନୂଆଦିଲ୍ଲୀ :  ସୁପ୍ରିମ୍‌ କୋର୍ଟ ବୁଧବାର ଅଯୋଧ୍ୟା ବିବାଦୀୟ ଜମି ମାମଲାର ଶୁଣାଣି କରି ରାମଲାଲ ବିରାଜମାନ ଏବଂ ନିର୍ମୋହୀ ଆଖଡ଼ାର ପକ୍ଷ ଶୁଣିଛନ୍ତି। ବିବାଦୀୟ ଅଂଚଳରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ହୋଇଥିବା ସଂକ୍ରାନ୍ତରେ ସେମାନେ ଦୃଢ଼ ଯୁକ୍ତି ବାଢ଼ିଥିଲେ। ପୂର୍ବରୁ ବିବାଦୀୟ ଅଂଚଳରେ ମସ୍‌ଜିଦ୍‌ ସ୍ଥାନରେ ଶ୍ରୀରାମ ମନ୍ଦିର ରହିଥିବା ରାମଲାଲ ବିରାଜମାନ ପକ୍ଷରୁ କୁହାଯାଇଛି।   ୧୮୫୮ରେ ସେଠାରେ ହିନ୍ଦୁମାନେ ପୂଜାର୍ଚ୍ଚନା କରିଥିବା ନେଇ ଇତିହାସରେ ତଥ୍ୟ ରହିଛି ବୋଲି ରାମଲାଲା ବିରାଜମାନ ଓକିଲ ପରାଶରନ କହିଥିଲେ। ଅନ୍ୟପକ୍ଷରେ ନିର୍ମୋହୀ ଆଖଡ଼ା ବିବାଦୀୟ ଜମି ପୂର୍ବରୁ ସେମାନଙ୍କ ଦଖଲରେ ଥିବା ‌କହିଥିବାରୁ ସୁପ୍ରିମ୍‌ କୋର୍ଟ ଏହାର ରାଜସ୍ବ ରେକର୍ଡ ଉପସ୍ଥାପନ କରିବାକୁ କହିଥିଲେ। ତେବେ ନିର୍ବାହୀ ଆଖଡ଼ା ପକ୍ଷରୁ କୁହାଯାଇଥିଲା, ୧୯୮୨ରେ ସେମାନଙ୍କ କାର୍ଯ୍ୟାଳୟରେ ଡକାୟତି ହୋଇଥିଲା ଏବଂ ମାଲିକାନ ହକ୍‌ ସଂକ୍ରାନ୍ତ ଦସ୍ତାବିଜ ଡକାୟତମାନେ ନେଇଯାଇଥିଲେ। ତେବେ ବର୍ତ୍ତମାନ ଯାହା ଉପଲବ୍ଧ ଅଛି, ସେହି ଦସ୍ତାବିଜ ଉପସ୍ଥାପନ କରାଯିବ ବୋଲି ନିର୍ମୋହୀ ଆଖଡ଼ା ଓକିଲ କହିଥିଲେ।

ବିଚାରପତି ଏସ୍‌.ଏ. ବୋବଡ଼େ କହିଥିଲେ ଭାରତରେ ଏକ ଧାର୍ମିକ ସ୍ଥଳକୁ ନେଇ ଦୁଇ ସଂପ୍ରଦାୟର ବିବାଦ ଯେଭଳି ଅଦାଲତକୁ ବିଚାରଣା ପାଇଁ ଆସିଛି, ବିଶ୍ବର ଅନ୍ୟ କୌଣସି ରାଷ୍ଟ୍ରରେ ଏଭଳି ମାମଲା ଅଦାଲତକୁ ଯାଇଛି କି ?   ଭଗବାନ ରାମ କିମ୍ବା ଯୀଶୁ କେବେ କୌଣସି ଅଦାଲତର ଦ୍ବାରସ୍ଥ ହୋଇଛନ୍ତି କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଏଥିରେ ପରାଶରନ କହିଥିଲେ ଆମେ ତଥ୍ୟ ବାହାର କରି ଅଦାଲତଙ୍କୁ ଜଣାଇବୁ। ଖଣ୍ଡପୀଠ କହିଥିଲେ ଏବେ ଆମେ ଜମି ବିବାଦ ଏବଂ ଏହାର ନିୟନ୍ତ୍ରଣ ପ୍ରସଙ୍ଗରେ ରହିଛୁ। ଯେଉଁ ପକ୍ଷମାନେ ଜମି ନିୟନ୍ତ୍ରଣ ନେଇ ଯେଉଁ ଦାବି କରିଛନ୍ତି ତାହାର ପ୍ରମାଣ ଉପସ୍ଥାପନ କରିବାକୁ ପଡ଼ିବ। ନିର୍ମୋହୀ ଆଖଡ଼ା ପକ୍ଷରୁ କୁହାଯାଇଥିଲା ଯେ ଏହି ସ୍ଥଳ ପ୍ରାଚୀନ କାଳରୁ ସେମାନଙ୍କ ନିୟନ୍ତ୍ରଣରେ ରହିଛି।

ସମ୍ବନ୍ଧିତ ଖବର