ଭାରତ କଶ୍ମୀର ନେଇ ଆମକୁ କିଛି ଜଣାଇନି: ଆମେରିକା

ଆଭିମୁଖ୍ୟ ସ୍ପଷ୍ଟ କଲା କଂଗ୍ରେସ, ବିଭାଜନକାରୀ ଏଜେଣ୍ଡାକୁ ବିରୋଧ କରିବ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ରଦ୍ଦ ଏବଂ ଜମ୍ମୁ କଶ୍ମୀର ରାଜ୍ୟକୁ ଭାଙ୍ଗିବା ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ବାବଦରେ ଭାରତ ପୂର୍ବରୁ ଆମେରିକାକୁ କିଛି ଅବଗତ କରାଇ ନାହିଁ। ଭାରତ ସରକାରଙ୍କ ପକ୍ଷରୁ ଏନେଇ ଆମେରିକା ସରକାରଙ୍କ ସହ ଆଦୌ ଯୋଗାଯୋଗ ‌କରାଯାଇ ନାହିଁ ବୋଲି ଆମେରିକା ବିଦେଶ ବିଭାଗ ପକ୍ଷରୁ କୁହାଯାଇଛି। ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କ ଆମେରିକୀୟ ପ୍ରତିପକ୍ଷ ତଥା ଆମେରିକା ବିଦେଶ ସଚିବ ମାଇକ୍‌ ପମ୍ପିଓଙ୍କୁ ଏନେଇ ଅବଗତ କରିଥିଲେ ବୋଲି କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ଆମେରିକା ଏହି ରିପୋର୍ଟକୁ ଖଣ୍ଡନ କରିଛି। ଭାରତ ସରକାର ପୂର୍ବରୁ ଆମେରିକାକୁ କିଛି ବି ଜଣାଇନଥିଲେ ବୋଲି ଆମେରିକା ପ୍ରଶାସନ ସ୍ପଷ୍ଟ କରିଛି।

ଆଭିମୁଖ୍ୟ ସ୍ପଷ୍ଟ କଲା କଂଗ୍ରେସ, ବିଭାଜନକାରୀ ଏଜେଣ୍ଡାକୁ ବିରୋଧ କରିବ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ଅଧିକାର ଦେଉଥିବା ଧାରା ୩୭୦କୁ ସରକାର ହଟାଇ ଦେବା ପରେ ଏହି ପ୍ରସଙ୍ଗ ନେଇ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ଅନେକ ବରିଷ୍ଠ ନେତା ଏନ୍‌ଡିଏ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିବା ସହ ଧାରା ୩୭୦କୁ ଏକ ଐତିହାସିକ ଭୁଲ୍‌ ଦର୍ଶାଇଥିବାରୁ କଂଗ୍ରେସର ଅଡ଼ୁଆ ବଢ଼ିଯାଇଥିଲା। ଏ ବାବଦରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଦଳର ଆଭିମୁଖ୍ୟ ସ୍ପଷ୍ଟ କରାଯାଇଛି । ଦଳ କଶ୍ମୀରବାସୀଙ୍କ ସହିତ ରହିବ ଏବଂ ସରକାରଙ୍କ ବିଭାଜନକାରୀ ଏଜେଣ୍ଡାକୁ ବିରୋଧ କରିବ ବୋଲି କୁହାଯାଇଛି । ତେବେ ଦଳର ଆଭିମୁଖ୍ୟକୁ ଅନେକ ନେତା ବିରୋଧ କରିଥିବାରୁ ଏହି ସମସ୍ୟା ଆଗକୁ ଜଟିଳ ସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ଦଳର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆର୍‌ପିଏନ୍‌ ସିଂହଙ୍କଠାରୁ ଜିତିନ ପ୍ରସାଦ ଏବଂ ଦୀପେନ୍ଦ୍ର ହୁଦା ପର୍ଯ୍ୟନ୍ତ ସମସ୍ତେ ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରି ଦଳର ଅଡ଼ୁଆ ବଢ଼ାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର