୨୨ ନୂଆ ଶିଳ୍ପ ପ୍ରକଳ୍ପ ଆରମ୍ଭ

୧୦ ପ୍ରକଳ୍ପ ଉଦ୍‌ଘାଟିତ, ୧୨ଟିର ଶିଳାନ୍ୟାସ, ୫୦୦୦ କୋଟିର ନିବେଶ, ୧୦ ହଜାର ନିଯୁକ୍ତି ସୁଯୋଗ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ସଦନରେ ୨୨ଟି ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ୧୦ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିବା ବେଳେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ସବୁ ପ୍ରକଳ୍ପରେ ୫୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଯିବା ପରେ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିଳ୍ପ ସ୍ଥାପନ କରିଥିବା ଏବଂ କରିବାକୁ ଯାଉଥିବା ସଂସ୍ଥାଗୁଡ଼ିକୁ ମୁଁ ଅଭିନନ୍ଦନ ଜଣାଉଛି। ଶିଳ୍ପ ସଂସ୍ଥାଗୁଡ଼ିକୁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ। ଏହି ସବୁ ନୂଆ ପ୍ରକଳ୍ପ ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଆଡ଼କୁ ଅଗ୍ରସର କରାଇବ ବୋଲି ସେ କହିଛନ୍ତି।

ଆଜି ଉଦ୍‌ଘାଟନ ଓ ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଶ୍ୟାମ ମେଟାଲିକ୍ସ ଆଣ୍ଡ୍‌ ଏନର୍ଜି, ଜେଏସ୍‌ଡବ୍ଳୁ ସିମେଣ୍ଟ୍‌, ଆରତୀ ଷ୍ଟିଲ୍‌, ଜେକେ ଲକ୍ଷ୍ମୀ ସିମେଣ୍ଟ୍‌, ହିଣ୍ଡାଲ୍‌କୋ ସୋଲାର୍‌, ଓରିକନ୍‌, ବୌଦ୍ଧ ଡିଷ୍ଟିଲାରି, ନିଜୋନ୍ ଟ୍ୟୁବ୍‌ସ, ଜୟ ଭାରତ ସ୍ପାଇସେସ୍‌, ରୁଙ୍ଗ୍‌ଟା ମାଇନ୍ସ, ଶ୍ରୀହରି ସ୍ପଞ୍ଜ୍‌, ମେ’ ଫେୟାର ହୋଟେଲ୍‌ସ ଆଣ୍ଡ୍‌ ରିସୋର୍ଟ, ଆଦିତ୍ୟ ବିର୍ଲା ଫେସନ, ଆଷ୍ଟ୍ରାଲ୍‌ ପଲିଟେକ୍‌ନିକ୍‌, ସିଜେ ଡାର୍‌କାଲ୍‌ ଲଜିଷ୍ଟିକ୍‌ସ, ଏବିପି ଏନର୍ଜିଟେକ୍, ବିନୁ ଇଣ୍ଡଷ୍ଟ୍ରିଜ୍‌, ମାହେଶ୍ବରୀ ପ୍ୟାକେଜିଂ, ଖୁସି ଇଣ୍ଡଷ୍ଟ୍ରିଜ୍, ସାଇ ବିନାୟକ ଆଣ୍ଡ୍‌ କୋ ଏବଂ ଲଳିତା ପ୍ୟାକେଜିଂର ପ୍ରକଳ୍ପ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା ୨୦୧୮ ଉପରେ ଏକ କଫି ଟେବୁଲ୍‌ ବୁକ୍ ଉନ୍ମୋଚନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ଓ ଇଡ୍‌କୋର ସିଏମ୍‌ଡି ସଞ୍ଜୟ ସିଂହ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର