ନିଜ ହେଲିକପ୍ଟର ଖସାଇବା ଘଟଣା ସବୁଠୁ ବଡ଼ ଭୁଲ୍‌ ଥିଲା, ସ୍ବୀକାର କଲେ ଭଦୋରିଆ

ନୂଆଦିଲ୍ଲୀ: ଫେବ୍ରୁଆରି ୨୬ରେ ବାଲାକୋଟ ବିମାନ ଆକ୍ରମଣ ହେବା ପରେ ଫେବ୍ରୁଆରି ୨୭ରେ ବାୟୁସେନାର ଏମ୍‌ଆଇ-୧୭ ଭି ଫାଇଭ୍‌ ହେଲିକପ୍ଟର ଶ୍ରୀନଗରରେ କ୍ଷେପଣାସ୍ତ୍ର ମାଡ଼ରେ ଖସି ପଡ଼ିଥିଲା। ପ୍ରଥମେ ବିଶ୍ବାସ କରାଯାଉଥିଲା ‌ଯେ ପାକିସ୍ତାନ କ୍ଷେପଣାସ୍ତ୍ର ମାଡ଼ କରି ବାୟୁସେନା ବିମାନ ଖସାଇ ଦେଇଛି। କିନ୍ତୁ ବାୟୁସେନା ମୁଖ୍ୟ ଆରକେଏସ୍‌ ଭଦୋରିଆ ଆଜି ସ୍ବୀକାର କରିଛନ୍ତି ଯେ ବାୟୁସେନା ଭୁଲ୍‌ବଶତଃ କ୍ଷେପଣାସ୍ତ୍ର ମାଡ଼ କରି ନିଜ ହେଲିକପ୍ଟରକୁ ଖସାଇ ଦେଇଥିଲା। ଏହା ବାୟୁସେନାର ସବୁଠୁ ବଡ଼ ଭୁଲ୍‌ ଥିଲା ବୋଲି ଭଦୋରିଆ ସ୍ବୀକାର କରିଛନ୍ତି। ଆସନ୍ତା ଅକ୍ଟୋବର ୮ ତାରି ବାୟୁସେନା ଦିବସ ନେଇ ଭଦୋରିଆ ଗଣମାଧ୍ୟମରେ ଉଦ୍‌ବୋଧନ ଦେଇ ଗତ ‌ଗୋଟିଏ ବର୍ଷ ମଧ୍ୟରେ ବାୟୁସେନାର ସଫଳତା ବିଷୟରେ ଆଲୋକପାତ କରିଥିଲେ। ବର୍ଷକ ମଧ୍ୟ‌ରେ ବାୟୁସେନା ଅନେକ ଟାର୍ଗେଟ୍‌ ହାସଲ କରିଛି। ପାକିସ୍ତାନର ବାଲାକୋଟ୍‌ରେ ଜେଇଏମ୍‌ ଆତଙ୍କବାଦୀ ଶିବିରକୁ ଟାର୍ଗେଟ୍‌ କରିବାଠାରୁ ଆରମ୍ଭ କରି ଆହୁରି ଅନେକ କିଛି ସଫଳତା ବାୟୁସେନା ହାସଲ କରିଥିବା ସେ କହିଛନ୍ତି। ଏମ୍‌ଆଇ-୧୭ ହେଲିକପ୍ଟର ଖସାଯିବା ଘଟଣାରେ ତଦନ୍ତ ପ୍ରକ୍ରିୟା ଶେଷ ହୋଇଛି ଏବଂ ମାମଲାରେ ୨ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଭଦୋରିଆ କହିଛନ୍ତି।

ସମ୍ବନ୍ଧିତ ଖବର