ବନ୍ୟାରେ ୨୫ ଲକ୍ଷ ପ୍ରଭାବିତ, ମୌସୁମୀ ବର୍ଷା ନେଇଛି ୧୯୦୦ ଜୀବନ

ମହାରାଷ୍ଟ୍ରରେ ସର୍ବାଧିକ ୩୮୨ ମୃତ

ନୂଆଦିଲ୍ଲୀ: ସେପ୍ଟେମ୍ବର ୩୦ ତାରିଖରେ ଚଳିତ ବର୍ଷର ମୌସୁମୀ ଋତୁ ଶେଷ ହୋଇଥିଲେ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ଏବେ ବି ମୌସୁମୀ ସକ୍ରିୟ ରହିଛି। ଚଳିତ ମୌସୁମୀ ବର୍ଷାରେ ଦେଶବ୍ୟାପୀ ୧୯୦୦ ଲୋକଙ୍କ ମୃତ୍ୟୁ ହୋଇଛି, ୪୬ ଲୋକ ନିଖୋଜ ଅଛନ୍ତି । ବନ୍ୟା ଯୋଗୁଁ ୨୨ଟି ରାଜ୍ୟର ୨୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠୁ ଅଧିକ ୩୮୨ ଜଣଙ୍କ ମୃ୍ତ୍ୟୁ ହୋଇଥିବା ବେଳେ ଏହାପରେ ପଶ୍ଚିମବଙ୍ଗରେ ୨୨୭ ଜଣଙ୍କ ମୃତ୍ୟୁ ହୋଇଛି। ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଦେଶର ୩୫୭ ଜିଲ୍ଲା ପ୍ରଭାବିତ ହୋଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି।

ଚଳିତ ମୌସୁମୀ ବର୍ଷା ଯୋଗୁଁ ୭୩୮ ଲୋକ ଆହତ ହୋଇଛନ୍ତି ଏବଂ ପ୍ରାୟ ୨୦,୦୦୦ ଜୀବଜନ୍ତୁ ପ୍ରାଣ ହରାଇଛନ୍ତି। ବର୍ଷା‌ ଏବଂ ବନ୍ୟା ଯୋଗୁଁ ୧.୦୯ ଲକ୍ଷ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ୨.୦୫ ଲକ୍ଷ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ୧୪.୧୪ ଲକ୍ଷ ହେକ୍ଟର ଚାଷଜମି ନଷ୍ଟ ହୋଇଯାଇଛି। ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ ଚଳିତ ମୌସୁମୀ ବର୍ଷା ୧୯୯୪ ମସିହା ପରେ ସବୁଠୁ ଅଧିକ ରହିଥିଲା। । ମହାରାଷ୍ଟ୍ରରେ ବନ୍ୟା ଯୋଗୁଁ ୨୨ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ଏଠାରେ ୩୮୨ ଜଣ ପ୍ରାଣ ହରାଇଥିବା ସରକାରୀ ଭାବେ କୁହାଯାଇଛି। ବିହାର ଏବେ ବନ୍ୟା ଘେରେ ଥିବାବେଳେ ଏଠାରେ ବନ୍ୟା ଯୋଗୁଁ ୧୬୧ ଜଣ ପ୍ରାଣ ହରାଇଛନ୍ତି ଏବଂ ୧.୨୬ ଲକ୍ଷ ଲୋକ ୨୩୫ଟି ରିଲିଫ୍‌ ଶିବିରରେ ରହିଛନ୍ତି। ମଧ୍ୟପ୍ରଦେଶରେ ୧୮୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କେରଳରେ ୧୮୧ ଜଣଙ୍କ ମୃତ୍ୟୁ ହୋଇଛି। କର୍ଣ୍ଣାଟକରେ ଚଳିତ ମୌସୁମୀ ଋତୁରେ ୧୦୬ ଜଣଙ୍କ ମୃତ୍ୟୁ ହୋଇଛି । ଆସାମରେ ୯୭ ଜଣଙ୍କ ମୃତ୍ୟୁ ହୋଇଛି। ଗୁଜରାଟରେ ମୌସୁମୀ ବର୍ଷା ଯୋଗୁଁ ୨୨ ଜିଲ୍ଲା ପ୍ରଭାବିତ ହୋଇଛି। ୧୬୯ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଏଠାରେ ୧୭,୭୮୩ ଲୋକ ୧୦୨ଟି ରିଲିଫ୍‌ ଶିବିରରେ ଆଶ୍ରୟ ନେଇଛନ୍ତି।

ସମ୍ବନ୍ଧିତ ଖବର