ଲଟେରି ଟିକିଟ୍‌ କିଣିବାକୁ ୮୪ ଲକ୍ଷ ଟଙ୍କାର କଏନ୍‌ ଚୋରି କଲେ ବ୍ୟାଙ୍କ୍‌ ମ୍ୟାନେଜର୍‌

ମିଦ୍‌ନାପୁର: ପଶ୍ଚିମବଙ୍ଗର ପୂର୍ବ ବର୍ଦଦ୍ୱାନ୍‌ ଜିଲ୍ଲା ଅନ୍ତର୍ଗତ ମେମାରି ସହରର ଏକ ବ୍ୟାଙ୍କ୍‌ ଶାଖାରେ ବରିଷ୍ଠ ସହକାରୀ ମ୍ୟାନେଜର୍‌ ଜୁଆ ଖେଳିବାକୁ ନିଜ ତତ୍ତ୍ୱାବଧାନରେ ଥିବା କରେନ୍‌ସି ଚେଷ୍ଟ୍‍ରୁ ୧୭ ମାସ ମଧ୍ୟରେ ୮୪ ଲକ୍ଷ ଟଙ୍କାର କଏନ୍‌ ଚୋରି କରିଛନ୍ତି।

ବିଭିନ୍ନ ପ୍ରକାରରେ ହିସାବ କରି ଦେଖିଲେ ଜଣାପଡୁଛି, ଯଦି ସେ ଖାଲି ୧୦ଟଙ୍କିଆ ମୁଦ୍ରା ନେଇ ଥାଆନ୍ତି ତେବେ ୧୭ ମାସ ମଧ୍ୟରେ ନେଇଥିବେ ୮, ୪୦, ୦୦୦ ହଜାରଟି ମୁଦ୍ରା। ଅର୍ଥାତ୍‌ ଦୈନିକ ୨, ୦୦୦ଟି ମୁଦ୍ରା ହିସାବରେ ସେ ମାସକୁ (୨୫ ଦିନ ହିସାବରେ) ୫୦ , ୦୦୦ଟି ମୁଦ୍ରା ନେଇଛନ୍ତି।

୨୭ ତାରିଖ ଦିନ ବାର୍ଷିକ ଅଡିଟ୍‌ ସମୟରେ ସେ କଏନ୍‌ ଚୋରାଇଥିବା ସ୍ୱୀକାର କରିବା ପରେ ଶୁକ୍ରବାର ଦିନ ତାଙ୍କୁ ଗିରଫ କରାଯାଇଛି। ଶନିବାର ଦିନ ଏକ ଆଞ୍ଚଳିକ ଅଦାଲତ ତାଙ୍କୁ ୫ ଦିନ ସକାଶ ପୁଲିସ ହାଜତକୁ ପଠାଇଛନ୍ତି।

ଲଟେରି ପ୍ରତି ଅତ୍ୟଧିକ ଆସକ୍ତି ଯୋଗୁଁ ୩୫ ବର୍ଷିୟ ତାରକ ଜୈସଓ୍ଵାଲ୍‌ ନାମକ ଏହି ମ୍ୟାନେଜର ଟଙ୍କା ଚୋରି କରିଥିବା ପ୍ରକାଶ। ସେ ନିଜ ଦୋଷ ସ୍ୱୀକାର କରି କହିଛନ୍ତି ଯେ ସବୁ ଟଙ୍କାରେ ସେ ଲଟେରି ଟିକିଟ୍‌ ଖରିଦ କରି ପକାଇଛନ୍ତି। ତାଙ୍କର କେହି ସହଯୋଗୀ ଅଛନ୍ତି କି, ନାହିଁ ପୁଲିସ ଅନୁସନ୍ଧାନ କରୁଥିବା କଥା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଭାସ୍କର ମୁଖାର୍ଜୀ।

ବ୍ୟାଙ୍କ୍‌ର ଭଲ୍‌ଟ୍‌ରେ ବହୁ ପରିମାଣର ନୋଟ୍‌ ଏବଂ ମୁଦ୍ରା ଦେଖି ଅଡିଟର୍‌ମାନେ ତାହାକୁ ଗଣିବାକୁ ନଭେମ୍ବର ୨୯ ତାରିଖ ଦିନ ଅଧିକାରୀମାନଙ୍କୁ କହିଥିଲେ। ଧରାପଡ଼ି ଯିବେ ଭାବି ଜୈସଓ୍ଵାଲ୍‌ ବିନା ଛୁଟିରେ ଅଫିସ ଆସିବା ବନ୍ଦ କରିଦେଇଥିଲେ। ଗଚ୍ଛିତ ମୁଦ୍ରାର ହିସାବରେ ବହୁ ପରିମାଣର ଫରକ ଦେଖା ଦେବାରୁ ଜୈସଓ୍ଵାଲ୍‌ଙ୍କୁ ଉପରେ ସନ୍ଦେହ ଘନୀଭୂତ ହୋଇଥିଲା। ଅଡିଟର୍‌ମାନେ ତାଙ୍କୁ ଡକାଇବାରୁ ସେ ନିଜେ ନ ଆସି ପତ୍ନୀଙ୍କ ହାତରେ ଚେଷ୍ଟ୍‍ର ଚାବି ପଠାଇ ଦେଇଥିଲେ।

ତା’ପରେ ଆଞ୍ଚଳିକ ବ୍ୟାଙ୍କ୍‌ ମ୍ୟାନେଜର୍‌ ଜୈସଓ୍ଵାଲ୍‌ଙ୍କ ବିରୋଧରେ ମେମାରି ଥାନାରେ ଏତଲା ଦେଇଥିଲେ ଏବଂ ତାଙ୍କୁ ଗିରଫ କରାଯାଇଥିଲା।
ପଚରା ଉଚୁରା ବେଳେ ସେ କହିଥିଲେ କି, ଦିନେ ନା ଦିନେ ସେ ଧରାପଡ଼ିବେ ବୋଲି ଜାଣିଥିଲେ, କିନ୍ତୁ ଲଟେରି ଟିକିଟ୍‌ କିଣା ମୋହରୁ ନିବୃତ ହୋଇ ପାରି ନ ଥିଲେ।

ସେ ବ୍ୟାଙ୍କ୍‌ରୁ କେମିତି କଏନ୍‌ ନେଉଥିଲେ ସେ କଥା ଜାଣିବାକୁ ପୁଲିସ ଉଦ୍ୟମ କରୁଛି।

ସମ୍ବନ୍ଧିତ ଖବର