ବେଙ୍ଗାଲୁର ବର୍ଷା: ଆଣ୍ଠୁଏ ପାଣିରେ ସ୍କୁଟି ଉପରୁ ନିୟନ୍ତ୍ରଣ ହରାଇ ବିଦ୍ୟୁତ୍‌ ଖୁଣ୍ଟିରେ ପିଟିହୋଇ ଯୁବତୀ ମୃତ

ବେଙ୍ଗାଲୁର: ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହେତୁ ରାସ୍ତାଘାଟରେ ପାଣି ଜମି ଯାଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବର୍ଷା-ବିତ୍ପାତ ଯୋଗୁ ଅନେକଙ୍କ ଜୀବନ ଯାଉଛି। ବେଙ୍ଗାଲୁରୁର ହ୍ବାଇଟ୍‌ଫିଲ୍ଡରେ  ବର୍ଷା ଯୋଗୁ  ଜଣେ ୨୩ ବର୍ଷୀୟା ଯୁବତୀ ମୃତ୍ୟୁର ହୋଇଥିବା ସୂଚନା ରହିଛି । ମୁକୁଳା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏହି ଯୁବତୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ।

 

ମୃତ ଯୁବତୀ ଜଣକ ହେଉଛନ୍ତି ଅଖିଳା। ସୋମବାର ରାତିରେ ସେ ଏକ ସ୍କୁଟି ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାବଶତଃ  ଏକ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ ଯାଇଥିଲେ। ଏହା ଫଳରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଖୁଣ୍ଟରେ ମାଡ଼ ହୋଇ ମୟୂରା ବେକେରି ନିକଟରେ ସେ ତଳେ ପଡ଼ି ଯାଇଥିଲେ। ଅସଲ କଥା ହେଲା, ସେ ସ୍କୁଟି ନେଇଯାଉଥିବା ବେଳେ ରାସ୍ତା ଉପରେ ଆଣ୍ଠୁଏ ପାଣି ହୋଇଥିବାରୁ ନିୟନ୍ତ୍ରଣ ହରାଇ ଡାହାଣକୁ ମୋଡ଼ି ଦେଇଥିଲେ ଓ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ ଯାଇଥିଲେ।

ତାଙ୍କୁ ସେଠାରୁ ହସ୍ପିଟାଲ୍‌କୁ ନିଆ ଯାଇଥିଲା। ହସ୍ପିଟାଲ୍‌ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବେଙ୍ଗାଲୁରୁରେ ବର୍ଷା ହେତୁ ଚାରିଆଡ଼େ ପାଣି ଜମି ଘର, ଆପାର୍ଟମେଣ୍ଟ୍‌ କମ୍ପ୍ଲେକ୍ସ, ଟ୍ରାଫିକ୍‌ ଆଦି ଜାମ୍‌ ହୋଇଥିଲା। ଏହି ପ୍ରବଳ ବର୍ଷାରେ ରାସ୍ତାଘାଟରେ ପାଣି ଜମି ରହିଥିବା ବେଳେ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଫିସ୍‌ ଓ ସ୍କୁଲ୍‌-କଲେଜ୍‌ରେ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଡଙ୍ଗା ଓ ଟ୍ରାକ୍ଟର ‌ଯୋଗାଇ ଦିଆଯାଇଛି। ଏହି ବର୍ଷ‌ାରେ ରେନ୍‌ବୋ ଡ୍ରାଇଭ୍‌ ଲେଆଉଟ୍‌, ସନି ବୁକ୍ସ ଲେଆଉଟ୍‌ ଓ ସାର୍ଜାପୁର ରୋଡ୍‌ର କିଛି ରାସ୍ତା ପ୍ରବଳ ଭାବେ ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର