ଭିତରକନିକା, ଗହୀରମଥା ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଘୋଷଣା

ନୂଆଦିଲ୍ଲୀ : ଭିତରକନିକା ଜାତୀୟ ପାର୍କ, ଭିତରକନିକା ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ଗହୀରମଥା (ସାମୁଦ୍ରିକ) ବନ୍ୟପ୍ରାଣୀ ଅଭୟାରଣ୍ୟର ୦.୧୦ କିମିରୁ ୮.୭ କିମି ସୀମା ଚାରିପାଖ ଅଂଚଳକୁ ପରିବେଶ ସମ୍ବେଦନଶୀଳ ଅଞ୍ଚଳ (ଇକୋ ସେନ୍‌ସିଟିଭ୍‌ ଜୋନ୍) ଭାବେ ଘୋଷଣା କରାଯାଇଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଏ ସମ୍ପର୍କରେ ଚିଠା ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ପ୍ରକାଶର ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ‘ଜୋନାଲ୍‌ ମାଷ୍ଟରପ୍ଲାନ୍‌’ ପ୍ରସ୍ତୁତ କରିପାରିବେ। ଏଥି ପାଇଁ ରାଜ୍ୟ ସରକାର ପରିବେଶ, ଜଙ୍ଗଲ ଓ ବନ୍ୟପ୍ରାଣୀ, କୃଷି, ରାଜସ୍ବ, ସହରାଞ୍ଚଳ ବିକାଶ, ପର୍ଯ୍ୟଟନ, ଗ୍ରାମୀଣ ବିକାଶ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ପୌରସଂସ୍ଥା, ପଂଚାୟତିରାଜ ଏବଂ ପୂର୍ତ୍ତ ବିଭାଗ ସହିତ ବିଚାରବିମର୍ଶ କରି ଏହି ପ୍ଲାନ ପ୍ରସ୍ତୁତ କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ରାଜ୍ୟ ସରକାର ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ଭୂମି ଉପଯୋଗ, ପ୍ରାକୃତିକ ଜଳସ୍ରୋତ, ଧ୍ବନି ପ୍ରଦୂଷଣ, ବାୟୁ ପ୍ରଦୂଷଣ, ସଡ଼କ ଯାତାୟତ ଭଳି ପ୍ରସଙ୍ଗଗୁଡିକ ଉପରେ ପଦକ୍ଷେପ ନେବେ। ପରିବେଶ ଆଇନରେ ଥିବା ବ୍ୟବସ୍ଥା, ଉପକୂଳ ନିୟନ୍ତ୍ରଣ ଅଞ୍ଚଳ-୨୦୧୧ ତଥା ପରିବେଶ ପ୍ରଭାବ ଆକଳନ ବିଜ୍ଞପ୍ତି ୨୦୦୬ ଅନୁସାରେ ବିଭିନ୍ନ ପ୍ରକାର ଗତିବିଧିକୁ ଏହି ଅଞ୍ଚଳରେ ନିୟନ୍ତ୍ରଣ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ଉପରୋକ୍ତ ଅଞ୍ଚଳରେ ଖଣି ଖନନ କାର୍ଯ୍ୟ ସୁପ୍ରିମକୋର୍ଟଙ୍କ ଅଗଷ୍ଟ ୪, ୨୦୦୬ ଏବଂ ଏପ୍ରିଲ ୨୧, ୨୦୧୪ର ଆଦେଶ ଆଧାରରେ କ୍ରିୟାନ୍ବୟନ କରାଯିବ। ଏଠାରେ ନୂଆ ଉଦ୍ୟୋଗ ତଥା ସଂପ୍ରସାରିତ ହୋଇଥିବା ପ୍ରଦୂଷିତ ଉଦ୍ୟୋଗକୁ ଅନୁମତି ଦିଆଯିବ ନାହିଁ। ବିଜ୍ଞପ୍ତିର ତଦାରଖ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୧୦ ଜଣିଆ ତଦାରଖ କମିଟି ଗଠନ କରାଯାଇଛି। କମିଟି ବିଜ୍ଞପ୍ତିର ଅନୁପାଳନ ନେଇ ତଦାରଖ କରିବା ସହ ବାର୍ଷିକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ୱାଡେନ୍‌ଙ୍କ ନିକଟରେ ଦାଖଲ କରିବେ।

ସମ୍ବନ୍ଧିତ ଖବର