କଶ୍ମୀରରେ ବଡ଼ ଆକ୍ରମଣ ଉଦ୍ୟମ ପଣ୍ଡ: ୩ ଆତଙ୍କବାଦୀ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଜମ୍ମୁ : ଜମ୍ମୁ କଶ୍ମୀର କଠୁଆ ଜିଲ୍ଲାରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଉଦ୍ୟମକୁ ସୁରକ୍ଷାବାହିନୀ ପଣ୍ଡ କରିଦେଇଛି। କଠୁଆ ଜିଲ୍ଲାର ଲଖନପୁର ଅଞ୍ଚଳରେ ଜମ୍ମୁ କଶ୍ମୀର ପୁଲିସ ୩ ଜଣ ଜେଇଏମ୍‌ (ଜୈସ୍‌ ଏ ମହମ୍ମଦ) ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୬ଟି ଏକେ ୪୭ ରାଇଫଲ୍‌ ସମେତ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ବୋଲି କଠୁଆ ଏସ୍‌ଏସପି ଶ୍ରୀଧର ପଟେଲ କହିଛନ୍ତି। ଧାରା ୩୭୦ ଉଚ୍ଛେଦ ହେବାପରେ ପ୍ରଥମ ଥର ପାଇଁ ଏତେ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ଏବଂ ବଡ଼ ଆତଙ୍କବାଦୀଙ୍କ ଆକ୍ରମଣ ଉଦ୍ୟମ ପଣ୍ଡ କରାଯାଇଛି ବୋଲି ସେ କହିଛନ୍ତି। ପଟେଲଙ୍କ କହିବା ଅନୁଯାୟୀ ଜମ୍ମୁ-ପଠାନକୋଟ ଜାତୀୟ ରାଜପଥରେ ଚେକିଂ ସମୟରେ ଏକ ଟ୍ରକ୍‌ ଅଟକା ଯାଇଥିଲା। ଟ୍ରକ୍‌ଟି ପଂଜାବରୁ କଶ୍ମୀର ଅଭିମୁଖେ ଯାଉଥିଲା। ଟ୍ରକ୍‌ ଚେକିଂ ସମୟରେ ୪ଟି ଏକେ-୫୬ ବନ୍ଧୁକ, ୨ଟି ଏକେ-୪୭ ବନ୍ଧୁକ, ୬ ମାଗାଜିନ୍‌, ୧୮୦ ରାଉଣ୍ଡ୍‌ ଗୁଳି, ବିସ୍ଫୋରକ ଏବଂ ନଗଦ ୧୧,୦୦୦ ଟଙ୍କା ଜବତ ହୋଇଥିଲା । ଟ୍ରକ୍‌ ଡ୍ରାଇଭର ସମେତ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନେ ସମସ୍ତେ କଶ୍ମୀରର ବୋଲି ଜଣାପଡ଼ିଛି। ସମସ୍ତଙ୍କ ଘର ପୁଲ୍‌ୱାମା ଏବଂ ବଡ଼ଗାମରେ। ସେମାନେ ବେଆଇନ ଭାବେ ପଂଜାବରୁ କଶ୍ମୀରକୁ ଅସ୍ତ୍ରଶସ୍ତ୍ର ଚାଲାଣ କରୁଥିଲେ ।

ସମ୍ବନ୍ଧିତ ଖବର