ଇଣ୍ଡୋନେସିଆ ଦୂତାବାସରେ ‘ବିଜୁ ପଟ୍ଟନାୟକ କୋଠରି’ ଉଦଘାଟିତ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ସ୍ବାଧୀନତା ଲାଭ କ୍ଷେତ୍ରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ନୂଆଦିଲ୍ଲୀସ୍ଥିତ ଇଣ୍ଡୋନେସିଆର ଦୂତାବାସର ଏକ କୋଠରିକୁ ବିଜୁଙ୍କ ନାମରେ ନାମିତ କରାଯାଇଛି।

ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ‘ଆର୍ତ୍ତୋ’ ସୂର୍ଯ୍ୟୋଦୀପୁରୋ ପାରମ୍ପରିକ ଶୈଳୀରେ ଇଣ୍ଡୋନେସିଆର ଦୂତାବାସରେ ‘ବିଜୁ ପଟ୍ଟନାୟକ କୋଠରି’ର ଉଦଘାଟନ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ପଟ୍ଟନାୟକଙ୍କ ବଡ଼ପୁଅ ପ୍ରେମ ପଟ୍ଟନାୟକ,ନାତି ଅରୁଣ ପଟ୍ଟନାୟକ ଏବଂ ନୂଆଦିଲ୍ଲୀରେ ଓଡ଼ିଶା ସରକାରଙ୍କ ରେସିଡେଣ୍ଟ କମିସନର ରବି କାନ୍ତ ଉପସ୍ଥିତ ଥିଲେ।

ଜଣେ ଅଧିକାରୀ କହିଛନ୍ତି ଯେ ଇଣ୍ଡୋନେସିଆର ଦୂତାବାସରେ ଥିବା ‘ବିଜୁ ପଟ୍ଟନାୟକ କୋଠରି’ ଦୂତାବାସର କର୍ମଚାରୀଙ୍କ ପାଇଁ ଏକ ସଭା କକ୍ଷ ଏବଂ ଲାଉଞ୍ଜ ଭାବରେ କାର୍ଯ୍ୟ କରିବ।

ଏକ ବିବୃତିରେ ଇଣ୍ଡୋନେସିଆ ଦୂତାବାସ ପକ୍ଷରୁ କୁହାଯାଇଛି, ବିଜୁ ପଟ୍ଟନାୟକ ଖୁବ୍ କମ୍ ବିଦେଶୀ ନାଗରିକଙ୍କ ମଧ୍ୟରୁ ଜଣେ ଥିଲେ ଯିଏକି ଇଣ୍ଡୋନେସିଆବାସୀଙ୍କ ପାଇଁ ଜଣେ ହିରୋ ଭାବରେ ବିବେଚିତ ହୁଅନ୍ତି। ଅତ୍ୟନ୍ତ ସାହସିକତାର ସହ  ସେ ଇଣ୍ଡୋନେସିଆବାସୀଙ୍କ ଲାଗି ଯେଉଁ ଉଡାଣ କରିଥିଲେ ତାହା ସର୍ବଦା ସ୍ମରଣୀୟ ହୋଇ ରହିବ।

ସମ୍ବନ୍ଧିତ ଖବର