ଆଇନର ରୂପ ନେଲା ବିଲ୍‌, ୧୦% ସଂରକ୍ଷଣ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରି

ନୂଆଦିଲ୍ଲୀ: ଆର୍ଥିକ ଦୃଷ୍ଟିରୁ  ଦୁର୍ବଳ ସାଧାରଣ ବର୍ଗଙ୍କ ପାଇଁ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ବିଲ୍‌କୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଂଜୁରି ଦେଇଛନ୍ତି। ରାଷ୍ଟ୍ରପତିଙ୍କ ମଂଜୁରି ସହିତ ଏହି ବିଲ୍‌ ଏବେ ଆଇନରେ ପରିଣତ ହୋଇଛି । ଏହା ପୂର୍ବରୁ ଲୋକସଭା ଏବଂ ରାଜ୍ୟସଭାରେ ଏହି ବିଲ୍‌ ଗୃହୀତ ହୋଇଛି ।  ଏହି ବିଲ୍‌ ସଂଘୀୟ ଢ଼ାଞ୍ଚାରେ କୌଣସି ପ୍ରକାର ହସ୍ତକ୍ଷେପ କରୁନଥିବାରୁ ଏଥିରେ ରାଜ୍ୟ ବିଧାନସଭାର ମଂଜୁରି ଆବଶ୍ୟକ ନାହିଁ। ତେଣୁ ରାଷ୍ଟ୍ରପତିଙ୍କ ମଂଜୁରି ସହିତ ଏହା ଆଇନର ରୂପ ନେଇଛି ଏବଂ କେନ୍ଦ୍ର ସରକାର ମଧ୍ୟ ତତ୍କାଳ ଏ ବାବଦ ଅଧିସୂଚନା ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଏହି ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ ହେବାପରେ ଟ୍ବିଟ୍ କରି ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କହିଥିଲେ। ଏହା ସାମାଜିକ ନ୍ୟାୟର ବିଜୟ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ। ୧୦ ପ୍ରତିଶତ ସଂରକ୍ଷଣ ବିଲ୍‌ ରାଜ୍ୟସଭାରେ ପ୍ରାୟ ୬ ଘଣ୍ଟାର ବିତର୍କ ପରେ ଗୃହୀତ ହୋଇଥିଲା। ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳଗୁଡ଼ିକର ସମର୍ଥନ ଯୋଗୁଁ ବିଲ୍‌ ଗୃହୀତ ହେବାରେ ସମସ୍ୟା ଉପୁଜିନଥିଲା।  ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ  କେତେକ ଦଳ ଦୃଢ଼ ଦାବି କରିଥିଲେ ମଧ୍ୟ ସରକାର ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ନୂତନ ସଂରକ୍ଷଣ ଆଇନ ସପ୍ତାହକ ମଧ୍ୟରେ କାର୍ଯ୍ୟକାରୀ ହେବ ଏବଂ ରାଜ୍ୟମାନେ ନିଜ ନିଜ କ୍ଷେତ୍ରରେ ଏହାକୁ ଲାଗୁ କରିବା ପାଇଁ ବ୍ୟବସ୍ଥା କରିପାରିବେ। ୮ ଲକ୍ଷରୁ କମ୍‌ ଆୟ ବର୍ଗର ଲୋକଙ୍କୁ ସରକାରୀ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଦେବାପାଇଁ  ସରକାରଙ୍କ ଘୋଷଣା ସହିତ ଏବେ ଭାରତରେ ପ୍ରାୟ ସବୁ ବର୍ଗର ଲୋକଙ୍କୁ କୌଣସି ନା କୌଣସି ମାପକାଠିରେ ସଂରକ୍ଷଣ ସୁବିଧା ଉପଲବ୍ଧ ହେବ। ସେହିପରି ସଂରକ୍ଷଣ ସୁବିଧା ହାସଲ କରିବା ପାଇଁ   ସାଧାରଣ ବର୍ଗର ଲୋକେ ଯେଉଁମାନଙ୍କର ୫ ଏକରରୁ କମ୍‌ ଜମି ରହିଛି ସେମାନେ ଏହି ସଂରକ୍ଷଣ ସୁବିଧା ପାଇବେ। ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସଂରକ୍ଷଣ ଆନ୍ଦୋଳନରେ ମଧ୍ୟ ଏହା ପୂର୍ଣ୍ଣଛେଦ ପକାଇବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର