କରୋନାଭାଇରସ୍ ଟିକା ଉତ୍ପାଦନ ନିମନ୍ତେ ଭାରତୀୟ ପ୍ରତିଷ୍ଠାନ ସହ ଚୁକ୍ତି କରିଛି ପ୍ରମୁଖ ବାୟୋଫାର୍ମା କମ୍ପାନି ଆଷ୍ଟ୍ରାଜେନିକା

ଲଣ୍ଡନ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଉଦ୍ଭାବିତ କରୋନାଭାଇରସ୍‌ ପ୍ରତିଷେଧକ ଟିକା ପରୀକ୍ଷଣ ସଫଳ ହେଲେ, ଭାରତରେ ଏହାର ଉତ୍ପାଦନ ନିମନ୍ତେ ପ୍ରମୁଖ ବାୟୋଫାର୍ମା କମ୍ପାନି ଆଷ୍ଟ୍ରାଜେନିକା ପୁଣେର ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସହ ରାଜିନାମା ସ୍ବାକ୍ଷର କରିଛି।

ଶୁକ୍ରବାର ଦିନ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ କହିଛି ଯେ ଆମ ଟିକାର କାମ ଦ୍ରୁତ ବେଗରେ ଆଗେଇ ଚାଲିଛି। ନିକଟରେ ଏହାର ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ‌ ହୋଇଛି। ପ୍ରାୟ ୧୦ ହଜାର ପ୍ରାପ୍ତ ବୟସ୍କ ସ୍ବେଚ୍ଛାସେବୀ ଏହି ଟିକା ନେଇଛନ୍ତି।

ଆଷ୍ଟ୍ରାଜେନିକା ଓ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆଙ୍କ ମଧ୍ୟରେ ଏହି ଲାଭରହିତ ରାଜିନାମାର ମୂଲ୍ୟ ୭୫୦ ମିଲିୟନ୍ ଡଲାର୍ ବୋଲି ଜଣାପଡ଼ିଛି। ବିଲ୍ ଏବଂ ମେଲିଣ୍ଡା ଗେଟ୍‌ସ୍ ସଂସ୍ଥାପିତ ‘କୋଏଲିସନ୍ ଅଫ୍ ‌ଏପିଡେମିକ୍ ପ୍ରିପାର୍ଡନେସ୍ ଇନୋଭେସନ୍‌ସ୍’ ଓ ‘ଗେଭି ଦ ଭ୍ୟାକ୍ସିନ୍ ଆଲିଏନ୍ସ’ ଏହି ଟିକାର ପ୍ରସ୍ତୁତି, ଖରିଦ ଓ ବଣ୍ଟନ ବ୍ୟୟ ବହନ କରୁଛି। ଏ ବର୍ଷ ଶେଷ ସୁଦ୍ଧା ଏହି ଟିକାର ଯୋଗାଣ ଆରମ୍ଭ ହେବ।

 

ସମ୍ବନ୍ଧିତ ଖବର