ଧର୍ମେନ୍ଦ୍ରଙ୍କ ବିଲ୍‌ ଆଲୋଚନାରେ ଭାଗନେଲାନି ବିଜେଡି

ନୂଆଦିଲ୍ଲୀ : ସୋମବାର ରାଜ୍ୟସଭାରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ (ସଂଶୋଧନ) ବିଧେୟକ -୨୦୨୧ ପାରିତ ହୋଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାରେ ଏହି ବିଲ୍‌କୁ ଆଗତ କରିବା ପରେ ଏହା ଉପରେ ଗୃହରେ ଆଲୋଚନା ହୋଇଥିଲା। ହେଲେ ଏହି ବିଲ୍‌ ଆଲୋଚନାରେ ବିଜେଡି ଭାଗ ନେଇ ନାହିଁ।

ଅପରପକ୍ଷେ ଏହି ବିଲ୍‌ ପୂର୍ବରୁ ରାଜ୍ୟସଭାରେ ଆଗତ ଅନ୍ୟ ଦୁଇ ବିଲ୍‌ ‘ଟ୍ରିବ୍ୟୁନାଲ ସଂସ୍କାର’ (ରାସନାଇଲେଜେସନ୍‌ ଆଣ୍ଡ୍‌ କଣ୍ଡିସେନ୍ସ ବିଲ୍‌) -୨୦୨୧ ଓ ‘ଟ୍ୟାକ୍ସ ସଂଶୋଧନ’ ବିଲ୍‌ ଆଲୋଚନାରେ ବିଜେଡି ଭାଗ ନେଇଥିଲା। ‘ଟ୍ରିବ୍ୟୁନାଲ ସଂସ୍କାର’ ବିଲ୍‌କୁ ବିଜେଡି ସାଂସଦ ସୁଜିତ କୁମାର ଓ ‘ଟ୍ୟାକ୍ସ ସଂଶୋଧନ’ ବିଲ୍‌କୁ ବିଜେଡି ସାଂସଦ ଅମର ପଟ୍ଟନାୟକ ସମର୍ଥନ ଜଣାଇଥିଲେ। ରାଜ୍ୟସଭାରେ ଚଳିତ ମୌସୁମୀ ଅଧିବେଶନରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ସତ୍ତ୍ବେ ବିଜେଡି ପାରିତ ହୋଇଥିବା ଅନେକ ବିଲ୍‌ ଆଲୋଚନାରେ ଭାଗ ନେଇ ସମର୍ଥନ ଜଣାଇଛି।

ଶ୍ରୀ ପ୍ରଧାନଙ୍କ ଦ୍ବାରା ଆଗତ ବିଲ୍‌ ଉପରେ ସଂକ୍ଷିପ୍ତ ଆଲୋଚନା ପରେ ବାଚନିକ ଭୋଟରେ ପାରିତ ହୋଇଥିଲା। ଏହି ବିଲ୍‌ ପୂର୍ବରୁ ଲୋକସଭାରେ ଗୃହୀତ ହୋଇସାରିଛି। ସଂଶୋଧିତ ବିଧେୟକ ଗୃହୀତ ହେବା ଦ୍ବାରା କେନ୍ଦ୍ର ଶାସିତ ଅଂଚଳ ଲଦାଖରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ବାଟ ଫିଟିଛି।

ସମ୍ବନ୍ଧିତ ଖବର