ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଓଡ଼ିଶା ମଡେଲକୁ ପ୍ରଶଂସା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ସଫଳତା ପାଇଁ ଓଡ଼ିଶା ମଡେଲକୁ ପ୍ରଶଂସା କରିଛି ଗ୍ରାମୀଣ ବିକାଶ ମନ୍ତ୍ରାଳୟ ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟି। ଓଡ଼ିଶା ମଡେଲ ଆପଣାଇବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦେବା ନିମନ୍ତେ କମିଟି ଏହି ମନ୍ତ୍ରାଳୟକୁ ସୁପାରିସ କରିଛି। ସଂସଦରେ ଉପସ୍ଥାପିତ କମିଟି ରିପୋର୍ଟରେ ଏହା କୁହାଯାଇଛି।

ଯୋଜନାରେ ଆବାସଗୁଡ଼ିକର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ଓଡ଼ିଶା ସରକାର ନୂଆ ପନ୍ଥା ଗ୍ରହଣ କରିଛନ୍ତି। ପ୍ରତି ଦଶ ଜଣ ହିତାଧିକାରୀଙ୍କ ସହିତ ଜଣେ କ୍ଷେତ୍ର ପଦାଧିକାରୀଙ୍କୁ ଯୋଡ଼ି ଦିଆଯାଇଛି। ଯାହା ଫଳରେ ଏହି ଯୋଜନା ସଫଳ ହୋଇପାରିଛି ବୋଲି ଷ୍ଟାଣ୍ଡିଂ କମିଟି ରିପୋର୍ଟରେ କୁହାଯାଇଛି।

ପ୍ରତାପ ରାଓ ଯାଦବଙ୍କ ଅଧ୍ୟକ୍ଷତାରେ ଗଠିତ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଯୋଜନାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟର ‘ଫିଜିକାଲ୍‌ ପ୍ରୋଗ୍ରେସ’ର ରାଜ୍ୟୱାରି ସୂଚନା ସଂପର୍କରେ ଅବଗତ କରାଯାଇଛି। ଏହି ଯୋଜନାରେ ୨୦୨୦-୨୧ରେ ୬ ଲକ୍ଷ ୮୯ ହଜାର ୯୯୦ ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସେହିଭଳି ଯୋଜନାରେ ୨୦୨୦-୨୧ରେ ମଞ୍ଜୁର ୬୫୬ କୋଟି ୮୫ ଲକ୍ଷ ଟଙ୍କାରୁ ୫୨୨ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ରିପୋର୍ଟରେ ସ୍ଥାୟୀ ପ୍ରତୀକ୍ଷା ସୂଚିରେ ୬୦ ହଜାର ୭୯୮ ଜଣ ଭୂମିହୀନ ହିତାଧିକାରୀ ରହିଥିବା ବେଳେ ୮ ହଜାର ୬୭ ଭୂମିହୀନ ହିତାଧିକାରୀଙ୍କୁ ଜମି ଯୋଗାଇ ଦିଆଯାଇଥିବା ସଂପର୍କରେ କୁହାଯାଇଛି। ୫୨ ହଜାର ୭୩୧ ହିତାଧିକାରୀଙ୍କୁ ଏବେବି ଜମି ମିଳିନଥିବାର ଷ୍ଟାଣ୍ଡିଂ କମିଟି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର