ଡ୍ୟାମ୍‌ ସୁରକ୍ଷା ବିଲ୍‌କୁ ଲୋକସଭାରେ ବିଜେଡିର ବିରୋଧ

ନୂଆଦିଲ୍ଲୀ : ଦେଶରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜଳାଶୟ ସୁରକ୍ଷାକୁ ସୁନିଶ୍ଚିତ କରିବା ନେଇ ଏକ ସମାନ ପ୍ରକ୍ରିୟ‌ା ଅନ୍ତର୍ଗତ ଡ୍ୟାମ୍‌ ସୁରକ୍ଷା ବିଲ୍‌କୁ ଆଜି ଲୋକସଭାରେ ଆଗତ କରାଯାଇଥିଲା। ଏହି ବିଲ୍‌କୁ ଜୋରଦାର ବିରୋଧ କରାଯାଇଥିଲା। ବିଜେଡି ଦ୍ବାରା ଲୋକସଭାରେ ବିଜେଡି ନେତା ଭର୍ତ୍ତୃହରି ମହତାବ ଡ୍ୟାମ୍‌ ସୁରକ୍ଷା ବିଲ୍‌କୁ ବିରୋଧ କରିଥିଲେ। ‌କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ତରଫରୁ ଏହି ବିଲ୍‌କୁ ଲୋକସଭାରେ କେନ୍ଦ୍ର ସଂସଦୀୟ ବ୍ୟାପାର ତଥା ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ ଆଗତ କରିଥିଲେ। ଡ୍ୟାମ୍‌ ସୁରକ୍ଷା ବିଲ୍‌ରେ ନିର୍ଦ୍ଦିଷ୍ଟ ଡ୍ୟାମ୍‌ର ବିଫଳତା ଜନିତ ବିପର୍ଯ୍ୟୟକୁ ରୋକିବା ପାଇଁ ସର୍ଭେଲାନ୍ସ, ତଦାରଖ, କ୍ରିୟାନ୍ବୟନ ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯାଇଛି। ଲୋକସଭାରେ କଂଗ୍ରେସ, ତେଲୁଗୁ ଦେଶମ୍‌ ପାର୍ଟି ଓ ଏଆଇଏଡିଏମ୍‌କେ ଦ୍ବାରା ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଜାରି ରହିଥିବା ବେଳେ ଡ୍ୟାମ୍‌ ସୁରକ୍ଷା ବିଲ୍‌କୁ ଆଗତ କରାଯାଇଥିଲା। ଭର୍ତ୍ତୃହରି ମହତାବ କହିଥିଲେ, ବିଲ୍‌ଟି ସଂସଦ ପରିଧିରେ ଆସୁନାହିଁ। ବିଲ୍‌ର ପ୍ରସଙ୍ଗ ଗୁଡ଼ିକ ରାଜ୍ୟ ସରକାରଙ୍କ ପରିଧିରେ ଆସୁଛି। ଅପରପକ୍ଷେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଥିଲେ ଯେ ଏହି ବିଲ୍‌କୁ ଆଗତ କରିବା ପାଇଁ କେନ୍ଦ୍ର ସରକାରଙ୍କ ବୈଧାନିକ କ୍ଷମତା ରହିଛି। ‌ସେ କହିଥିଲେ, ଯଦି ଦୁଇଟି ରାଜ୍ୟ ସହମତି ପ୍ରକାଶ କରୁଛନ୍ତି ତେବେ ଏହି ବିଲ୍‌କୁ ଆଗତ କରିବାପାଇଁ କେନ୍ଦ୍ର ସରକାରଙ୍କ କ୍ଷମତା ରହିଛି।

ସମ୍ବନ୍ଧିତ ଖବର