ଦିଲ୍ଲୀ ନିର୍ବାଚନ: ପରାଜୟ ସ୍ୱୀକାର କଲା ବିଜେପି; ଦଳ ଗଠନମୂଳକ ବିରୋଧୀର ଭୂମକା ନିର୍ବାହ କରିବ ବୋଲି କହିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଏ ଯାବତ୍‌ ଘୋଷିତ ହୋଇ ନାହିଁ। ତେବେ, ଭୋଟ ଗଣତିକୁ ନେଇ ମିଳିଥିବା ସର୍ବଶେଷ ରିପୋର୍ଟ ଅନୁଯାୟୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆମ୍‌ ଆଦମୀ ପାର୍ଟି (ଆପ୍‌) ୬୨ଟି ଆସନରେ ବହୁ ଭୋଟରେ ଆଗୁଆ ରହିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରାର୍ଥୀମାନେ ମାତ୍ର ୮ଟି ଆସନରେ ଆଗୁଆ ରହିଛନ୍ତି। କଂଗ୍ରେସକୁ ଦିଲ୍ଲୀ ଭୋଟରମାନେ ସଂପୂର୍ଣ୍ଣ ରୂପେ ପ୍ରତ୍ୟାଖାନ କରିଛନ୍ତି। କଂଗ୍ରେସ ଦିଲ୍ଲୀରେ ନିଜର ଖାତା ଖୋଲିବାରେ ସମର୍ଥ ହୋଇ ନଥିବା ବେଳେ ପାଇଛି ମାତ୍ର ୪ ପ୍ରତିଶତ ଭୋଟ। ଯାହା ଲାଗୁଚି ଚୂଡ଼ାନ୍ତ ଫଳଫଳ ଘୋଷିତ ହେବା ବେଳକୁ ସ୍ଥିତି ପ୍ରାୟ ଏହି ପ୍ରକାରର ହିଁ ଥିବ।

ଭୋଟ ଗଣତିର ଟ୍ରେଣ୍ଡକୁ ଦେଖି ଦିଲ୍ଲୀରେ ଆପ୍‌ ଆଉଥରେ ଶାସନ କ୍ଷମତାକୁ ଫେରିବା ସହ ଅରବିନ୍ଦ କେଜ୍ରିଓ୍ଵାଲ ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଗାଦି ଅକ୍ତିଆର କରୁଥିବା ପ୍ରାୟ ନିଶ୍ଚିତ ହୋଇ ପଡ଼ିଛି।

ଏପ୍ରକାରର ସ୍ଥିତିରେ ଦିଲ୍ଲୀ ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷିତ ହେବା ପୂର୍ବରୁ ବିଜେପି ନିଜର ପରାଜୟକୁ ସ୍ୱୀକାର କରି ନେଇଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଟୁଇଟ କରି କହିଛନ୍ତି ଯେ ବିଜେପି ମିଳିଥିବା ଜନାଦେଶକୁ ଗ୍ରହଣ କରୁଛି। ଦଲ୍ଲୀ ବିଧାନସଭାରେ ଆମେ ଗଠନମୂଳକ ବିରୋଧୀ ଦଳର ଭୂମକା ନିର୍ବାହ କରିବା ସହ ଦିଲ୍ଲୀବାସୀଙ୍କର ସାଧାରଣ ପ୍ରସଙ୍ଗଗୁଡ଼ିକୁ ବିଧାନସଭାରେ ଉତ୍ଥାପନ କରିବ। ଏଥିସହ ନିର୍ବାଚନରେ ବିଜୟ ପାଇଁ ଆପ୍‌ ଓ କେଜ୍ରିଓ୍ଵାଲଙ୍କୁ ଅଭିନନ୍ଦନ ଜଣାଇବା ସହ ଦିଲ୍ଲୀର ସର୍ବାଙ୍ଗୀନ ବିକାଶ ଦିଗରେ କେଜ୍ରିଓ୍ଵାଲଙ୍କ ଆପ୍‌ ସରକାର ନିଷ୍ଠାର ସହ କାର୍ଯ୍ୟ କରିବ ବୋଲି ଆଶା ପ୍ରକଟ କରିଛନ୍ତି।

ହାରିଛୁ; କିନ୍ତୁ ଭୋଟହାର ବଢ଼ିଛି: ଦିଲ୍ଲୀ ବିଜେପି ମୁଖ୍ୟ

 

ଅନ୍ୟପକ୍ଷରେ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ଵାରୀ କହିଛନ୍ତି ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳ ହାରି ଯାଇଛି ସତ। କିନ୍ତୁ, ୨୦୧୫ ତୁଳନାରେ ଆମର ଭୋଟହାର ବଢ଼ିଛି। ଅନେକଗୁଡ଼ିଏ କାରଣ ପାଇଁ ଆମେ ନିର୍ବାଚନରେ ଭଲ ପ୍ରଦର୍ଶନ କରିପାରିଲୁ ନାହିଁ। ତେବେ, ଆମର ଅସୁବିଧାଟା ରହିଲା କେଉଁଠି? ତାହାର ସମୀକ୍ଷା କରାଯିବ ବୋଲି କହିଛନ୍ତି ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ଵାରୀ।

ସମ୍ବନ୍ଧିତ ଖବର