କର୍ଣ୍ଣାଟକରେ ବିସ୍ଫୋରଣ, ୩ ମୃତ

ବେଙ୍ଗାଲୁର: ଗୁରୁବାର ରାତିରେ କର୍ଣ୍ଣାଟକର ଶିବମୋଗା ଜିଲ୍ଲାରେ ଶକ୍ତିଶାଳୀ ବିସ୍ଫୋରଣ ଘଟି ବହୁ ସଂଖ୍ୟକ ଲୋକଙ୍କ ମୃତାହତ ହୋଇଥିବାର ଖବର ମିଳିଛି। ବିସ୍ଫୋରଣ କେମିତି ଘଟିଲା ତାହା ଠିକ୍‌ଭାବେ ଜଣାପଡ଼ି ନାହିଁ। ତେବେ ବିଭିନ୍ନ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏକ ବିସ୍ଫୋରକ ସାମଗ୍ରୀ ଲଦା ହୋଇ ଯାଉଥିବା ଟ୍ରକରେ ବିସ୍ଫୋରଣ ଘଟିଛି। ଉକ୍ତ ଟ୍ରକରେ ଡିନାମାଇଟ୍‌ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ନିକଟବର୍ତ୍ତୀ ଖଣିକୁ ଯାଉଥିବା ଜଣାପଡ଼ିଛି। ଏଥିରେ ଟ୍ରକଟି ସଂପୂର୍ଣ୍ଣ ରୂପେ ପୋଡ଼ି ପାଉଁଶ ହୋଇଯାଇଛି। ବିସ୍ଫୋରଣଟି ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖ ଅଞ୍ଚଳ ଥରି ଉଠିଥିଲା। ସେଠାରେ ମୃତଦେହ ଗୁଡ଼ିକର ମାଂସ ହାଡ଼ ପୋଡ଼ି ହୋଇ ପଡ଼ିଥିବାର ଦେଖାଯାଇଛି। ଏହି ବିସ୍ଫୋରଣ ରାତି ସାଢ଼େ ୧୦ଟାରେ ଘଟିଥିବା କୁହାଯାଉଛି। ଖବର ପାଇ ପୁଲିସ ବାହିନୀ ବିସ୍ଫୋରଣ ସ୍ଥଳକୁ ଯାଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ତେବେ ପୁଲିସ ବିସ୍ଫୋରଣ ସଂପର୍କରେ କୌଣସି ତଥ୍ୟ ଦେଇନାହିଁ। ‌ଖବର ଲେଖାହେବା ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର