ବିଦେଶ ସଚିବ ଭାବେ ବ୍ଲି‌ଙ୍କେନ୍‌ଙ୍କ ନିଯୁକ୍ତି ପାକିସ୍ତାନ, ଚୀନ୍‌ର ଅଡ଼ୁଆ ବଢ଼ାଇବ

ୱାସିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଗତକାଲି ଏଣ୍ଟୋନି ବ୍ଲିଙ୍କେନ୍‌ଙ୍କୁ ନୂତନ ବିଦେଶ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଏହା ସହିତ ଜେକ୍‌ ସଲିବାନ ଜାତୀୟ ସୁରକ୍ଷା ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି। ୫୮ ବର୍ଷୀୟ ବ୍ଲିଙ୍କେନ୍‌ ବାରାକ୍‌ ଓବାମା ରାଷ୍ଟ୍ରପତି ଥିବା ବେଳେ ଉପ ବିଦେଶ ସଚିବ ଭାବେ ନିଯୁକ୍ତ ହୋଇଥିଲେ। ଭାରତ ଏବଂ ଏସିଆର ବିଭିନ୍ନ ପ୍ରସଙ୍ଗରେ ବ୍ଲିଙ୍କେନ୍‌ଙ୍କ ମତ ସର୍ବଦା ଭାରତର ଅନୁକୂଳ ରହିଥିବାରୁ ତାଙ୍କର ନୂଆ ନିଯୁକ୍ତି ଭାରତ ପାଇଁ ଭଲ ଖବର ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଚୀନ୍‌ ଏବଂ ପାକିସ୍ତାନର ଆଭିମୁଖ୍ୟକୁ ବ୍ଲିଙ୍କେନ୍‌ ପୂର୍ବରୁ କଡ଼ା ସମାଲୋଚନା କରିବା ସହ ସେମାନେ ଆଞ୍ଚଳିକ ଅସ୍ଥିରତା ବଢ଼ାଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତେଣୁ ବାଇଡେନ୍‌ ପ୍ରଶାସନରେ ମଧ୍ୟ ପାକିସ୍ତାନକୁ ନିସ୍ତାର ମିଳିବ ନାହିଁ ଏବଂ ଟ୍ରମ୍ପ୍‌ ପ୍ରଶାସନ ଲଗାଇଥିବା କଟକଣା ବଳବତ୍ତର ରହିବ ବୋଲି କୁହାଯାଉଛି।

ଓବାମାଙ୍କ ଶାସନ ସମୟରେ ଭାରତ-ଆମେରିକା ସଂପର୍କ କିଭଳି ଘନିଷ୍ଠ ହୋଇଥିଲା ଏବଂ ଭାରତ ଆମେରିକାର ଏକ ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ପାଲଟିଥିଲା ସେ ସଂପର୍କରେ ଜୁଲାଇ ୯ରେ ଏକ କାର୍ଯ୍ୟକ୍ରମରେ ବ୍ଲିଙ୍କେନ୍‌ ବିସ୍ତୃତ ମତ ରଖିଥିଲେ। ସେ କହିଥିଲେ ଯେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତ-ଆମେରିକା ଦ୍ବିପାକ୍ଷିକ ସଂପର୍କ ବୃଦ୍ଧି ପାଇଥିଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ-ଆମେରିକା ସଂପର୍କକୁ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଜାତିସଂଘରେ ସଂସ୍କାର ପାଇଁ ମଧ୍ୟ ଭାରତର ଆଭିମୁଖ୍ୟକୁ ବ୍ଲିଙ୍କେନ୍‌ ସମର୍ଥନ କରି ଆସିଛନ୍ତି। ଚୀନ୍‌ର ବିସ୍ତାରବାଦୀ ନୀତି ଏବଂ ପାକିସ୍ତାନ ଦ୍ବାରା ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦିଆଯିବାକୁ ମଧ୍ୟ ବ୍ଲି‌ଙ୍କେନ କଡ଼ା ସମାଲୋଚନା କରିଥିବା ନଜିର୍‌ ରହିଛି। ଏଭଳି ସ୍ଥିତିରେ ତାଙ୍କର ବିଦେଶ ସଚିବ ଭାବେ ନିଯୁକ୍ତି ଚୀନ୍‌-ପାକିସ୍ତାନର ଅଡ଼ୁଆ ବଢ଼ାଇବ ବୋଲି କୂଟନୀତି ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର