ପ୍ରକୃତ ‘ଶିବସେନା’ କିଏ? ଏହାର ନିଷ୍ପତ୍ତି ନେବେ ନିର୍ବାଚନ କମିସନ୍‌: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରକୃତ ‘ଶିବସେନା’ କିଏ? ଏହାର ନିଷ୍ପତ୍ତି ନେବେ ନିର୍ବାଚନ କମିସନ୍‌। ଆଜି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଏଭଳି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ଏଭଳି ରାୟ ଉଦ୍ଧବଙ୍କୁ ଝଟକା ଦେଇଥିବା ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସଫଳତା ଦେଇଥିବା ଚର୍ଚ୍ଚା ହେଉଛି।

ବିଦ୍ରୋହୀ ହୋଇ ଉଦ୍ଧବ ଠାକରେଙ୍କ ହାତରୁ କ୍ଷମତା ଛଡ଼ାଇ ନେବା ପରେ ଶିବସେନା ଓ ଏହାର ଦଳୀୟ ଚିହ୍ନ ଉପରେ ଅଧିକାର ଜାହିର କରିଥିଲେ ସିନ୍ଦେ। ହେଲେ ଏହାକୁ ବିରୋଧ କରିଥିଲେ ଠାକରେ। ଉଭୟ ଠାକରେ ଏବଂ ସିନ୍ଦେ ଶିବ‌େସେନା ଓ ଏହାର ଦଳୀୟ ଚିହ୍ନକୁ ନିଜର ବୋଲି ଦାବି କରୁଥିବା ବେଳେ ପ୍ରକୃତ ଶିବସେନା କିଏ? ସେ ନିଷ୍ପତ୍ତି ନିର୍ବାଚନ କମିସନ୍‌ ନେବେ ବୋଲି ‌ଘୋଷଣା ହୋଇଥିଲା। ହେଲେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ବାରସ୍ତ ହୋଇଥିଲେ ଉଦ୍ଧବ ଠାକରେ। ଆଜି ଠାକରେଙ୍କ ଆବେଦନକୁ ଖାରଜ କରି ପ୍ରକୃତ ‘ଶିବସେନା’ କିଏ? ଏହାର ନିଷ୍ପତ୍ତି ନିର୍ବାଚନ କମିସନ୍‌ ହିଁ ନେବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ଉଲ୍ଲେଖଯୋଗ୍ୟ, ଗତ ଜୁନ ୨୨ରେ ଏକନାଥଙ୍କ ନେତୃତ୍ବରେ ଅସନ୍ତୁଷ୍ଟ ବିଧାୟକ ଗୁଜୁରାଟର ସୁରତର ଏକ ହୋଟେଲକୁ ପଳାଇଯିବା ପରେ ମହାରାଷ୍ଟ୍ର ସରକାରଙ୍କ ଉପରକୁ ବିପଦ ଘନେଇ ଆସିଥିଲା । ପରେ ସିନ୍ଦେ ଗୋଷ୍ଠୀ ସୁରତ ଛାଡ଼ି ଆସାମର ରାଜଧାନୀ ଗୌହାଟୀ ପଳାଇଯାଇଥିଲେ । ଏହା ପରେ ନିଜ ସମର୍ଥନରେ ଶିବସେନାର ଅଧିକାଂଶ ବିଧାୟକଙ୍କୁ ଆଣି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରି ଦେଇଥିଲେ। ଏହିପରି ଭାବେ ବିଜେପି ସହ ମିଶି ଏକନାଥ ସିନ୍ଦେ ସରକାର ଗଠନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର