ବିଚାରପତିଙ୍କୁ ଲାଞ୍ଚ ମାମଲା:ଏସ୍ ଆଇଟି ତଦନ୍ତ ଦାବି ପିଟିସନକୁ ଖାରଜ କଲେ ସୁପ୍ରିମ୍ କୋର୍ଟ
-ଦାଏର ମାମଲା ଅଦାଲତ ଅବମାନନା, କିନ୍ତୁ କାର୍ଯ୍ୟାନୁଷ୍ଠାନ ହେବନି
ନୂଆଦିଲ୍ଲୀ : ମେଡିକାଲ କଲେଜ ନାମଲେଖା ଦୁର୍ନୀତିରେ ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟର କିଛି ବିଚାରପତି ସଂପୃକ୍ତ ଥିବା ଅଭିଯୋଗ ହୋଇଥିବାରୁ ଏହାର ଏସ୍୍ଆଇଟି ତଦନ୍ତ ଦାବି କରି ଦାଏର ହୋଇଥିବା ମାମଲାକୁ ସୁପ୍ରିମ୍ କୋର୍ଟ ଆଜି ଖାରଜ କରିଦେଇଛନ୍ତି। ଅକାରଣ ସନ୍ଦେହରେ ଏଭଳି ଅଭିଯୋଗ ଆମକୁ ବିଚଳିତ କରୁଛି ବୋଲି ସୁପ୍ରିମ୍ କୋର୍ଟ କହିବା ସହିତ ଏହି ମାମଲାରେ କୌଣସି ବିଚାରପତିଙ୍କ ବିରୋଧରେ ଏଫ୍୍ଆଇଆର ରୁଜୁ କରାଯାଇନଥିବା କହିଛନ୍ତି। ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଏଭଳି ଆଧାରହୀନ ଅଭିଯୋଗ ଦ୍ୱାରା ନ୍ୟାୟ ପାଳିକାର ଭାବମୂର୍ତ୍ତି ନଷ୍ଟ ହେଉଛି। ଗତକାଲି ଏହି ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ସୁପ୍ରିମ କୋର୍ଟ କହିଥିଲେ ଆମେ ମଧ୍ୟ ଆଇନର ଊର୍ଦ୍ଧ୍ୱରେ ନାହୁଁ ଏବଂ ସମସ୍ତ ଜରୁରୀ ପ୍ରକ୍ରିୟାଗୁଡ଼ିକର ପାଳନ ହେବାର ଆବଶ୍ୟକତା ରହିଛି । ଏହି ମାମଲାରେ କୌଣସି ପ୍ରକାର ଏଫ୍ଆଇଆର ସୁପ୍ରିମ୍ କୋର୍ଟଙ୍କ କୌଣସି ବିଚାରପତିଙ୍କ ବିରୋଧରେ ରୁଜୁ କରାଯାଇ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ବିଚାରପତିଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଦ୍ୱାରା ସଂସ୍ଥାନର ସମ୍ମାନରେ ଆଞ୍ଚ ଆସୁଛି। ସବୁଠାରୁ ପରିତାପର ବିଷୟ ହେଉଛି ଯେ ଏଭଳି ଅଭିଯୋଗ କାରଣରୁ ନ୍ୟାୟପାଳିକା ଭଳି ସଂସ୍ଥାନକୁ ଅକାରଣରେ ସନ୍ଦେହ ଘେରକୁ ଠେଲି ଦିଆଯାଉଛି। ଦାଏର କରାଯାଇଥିବା ମାମଲାକୁ ଅଦାଲତ ଅବମାନନା ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ତେବେ ଆବେଦକାରୀଙ୍କ ଉପରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଜଣେ ବରିଷ୍ଠ ଓକିଲଙ୍କ ଦ୍ୱାରା ଏଭଳି ମାମଲା ଦାଏର କରାଯିବା ଦୁଃଖର ବିଷୟ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ବିଚାରପତି ଆର୍କେ ଅଗ୍ରଓ୍ଵାଲଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ବରିଷ୍ଠ ଓକିଲ କାମିନି ଜୟସ୍ୱାଲଙ୍କ ଦ୍ୱାରା ଏସ୍ଆଇଟି ଗଠନ ଦାବି କରି ଦାଏର କରାଯାଇଥିବା ମାମଲାକୁ ଖାରଜ କରିଦେଇଥିଲେ।ଏ ସଂପର୍କିତ ଆଉ ଏକ ମାମଲା ସୁପ୍ରିମ୍ କୋର୍ଟରେ ବିଚାରାଧୀନ ରହିଛି ଯାହାର ଶୁଣାଣି ହେବାର ଅଛି। ଉଲ୍ଲେଖଯୋଗ୍ୟ ଘରୋଇ କଲେଜରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅଦାଲତରୁ ଅନୁମତି ଆଣି ଦେବାପାଇଁ ଏକ ର୍ୟାକେଟ କାମ କରୁଥିବା ସିବିଆଇ ଅଭିଯୋଗ କରିଥିଲା ଏବଂ ଏହି ମାମଲାରେ ଓଡ଼ିଶା ଓ ଛତିଶଗଡ଼ ହାଇକୋର୍ଟର ପୂର୍ବତନ ବିଚାରପତି ଆଇଏମ୍ କୁଦ୍ଦୁଶିଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏଭଳି ଏକ ମାମଲାରେ ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟଙ୍କ କିଛି ବିଚାରପତି ସଂପୃକ୍ତ ଥିବା ଅଭିଯୋଗ କରି ସୁପ୍ରିମ୍ କୋର୍ଟର ଜଣେ ପୂର୍ବତନ ପ୍ରଧାନ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ଗଠନ କରିବାକୁ ବରିଷ୍ଠ ଓକିଲ କାମିନୀ ଜୟସ୍ୱାଲ ମାମଲା ଦାଏର କରିଥିଲେ।